ଚାଷୀଙ୍କୁ ମିଳୁନି, କଳାବଜାର ଆଶଙ୍କା

ଢେଙ୍କାନାଳ ଅଫିସ, ୧୨।୯ – ଢେଙ୍କାନାଳରେ ୟୁରିଆ ସାରର ବ୍ୟାପକ ଅଭାବ ଦେଖାଦେଇଛି। ଜିଲାର ଅଧା ଚାଷୀ ସାର ପାଇନାହାନ୍ତି। ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଠିକଣା ସମୟରେ ୟୁରିଆ ଅଭାବ ସେମାନଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପଟେ ସାର କଳାବଜାର ପାଇଁ କେତେଜଣ ହୋଲେସେଲର ମସୁଧା କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଖରିଫ୍‌ ଚାଷ ଲାଗି ଅନୁଷ୍ଠିତ କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଜିଲାରେ ୯୪,୯୪୦ ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିଲାଗି ୬ହଜାର ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ରହିଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା। ଏବେ ସୁଦ୍ଧା ମାତ୍ର ୩ହଜାର ମେଟ୍ରିକ ଟନ୍‌ ୟୁରିଆ ସାର ଯୋଗାଣ ହୋଇଛି, ଯାହା ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁନାହିଁ। ଗୋଲା, ସୋସାଇଟି, କୃଷି କାର୍ଯ୍ୟାଳୟରେ ୟୁରିଆ ନାହିଁ। ଏ ନେଇ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚଳିତବର୍ଷ ଜିଲାରେ ଭଲ ବର୍ଷା ହୋଇଛି। ରୁଆବେଉସା ସରିବା ପରେ ଧାନରୁ ଥୋଡ଼ ବାହାରିବା ସମୟ ହେଲାଣି। ଏହି ସମୟରେ ୟୁରିଆର ଆବଶ୍ୟକତା ବେଶି। ହେଲେ ୟୁରିଆ ସଙ୍କଟ ଏବେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଅନ୍ୟପଟେ କେତେଜଣ ହୋଲସେଲର ୧୦୦୦ ମେଟ୍ରିକ ଟନ୍‌ ୟୁରିଆ ବଜାରକୁ ବିକ୍ରି ପାଇଁ ନ ଛାଡ଼ି ଚପାଇ ରଖିଥିବା ଚର୍ଚ୍ଚା ହେଉଛି। ସେମାନେ ସାର କଳାବଜାର କରି ଚଢ଼ା ଦରରେ ବିକ୍ରି କରିବାକୁ ମସୁଧା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ସଦର ବ୍ଲକ ନୂଆଗଁା ପଞ୍ଚାୟତ ମଣ୍ଡାପାଳ ଗ୍ରାମର ଚାଷୀ ସର୍ବେଶ୍ୱର ବ୍ରହ୍ମ କୁହନ୍ତି, ଧାନ ବାହାରିବା ସମୟ ହେବା ବେଳକୁ ସବୁଠି ୟୁରିଆ ସାରର ଅଭାବ ଦେଖାଦେଇଛି। ଗ୍ରାମରେ ଥିବା ସମବାୟ ସମିତିଠାରୁ ଆରମ୍ଭ କରି କୃଷି କାର୍ଯ୍ୟାଳୟ ଯାଏ କେଉଁଠି ମଧ୍ୟ ସାର ମିଳୁନାହିଁ। ଫଳରେ ଶେଷ ମୁହୂର୍ତ୍ତରେ ଧାନଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ସାର ଅଭାବ ସମ୍ପର୍କରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ୨-୩ ଦିନ ମଧ୍ୟରେ ୬୦୦ ମେଟ୍ରିକ ଟନ୍‌ ସାର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। କେତେଜଣ ହୋଲ୍‌ସେଲର ସାର କଳାବଜାର କରିବାକୁ ଯୋଜନା କରୁଥିବା ଅଭିଯୋଗ ମିଳିଛି। ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।