ଚାଲିଚାଲି ଘରକୁ ଫେରୁଛନ୍ତି ରାଜ୍ୟ ଭିତର ଶ୍ରମିକ

ଠାକୁରମୁଣ୍ଡା,୭ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ ହେଉଛନ୍ତି। ଲକ୍‌ଡାଉନ୍‌ର ୪୩ ଦିନ ପରେ ଯିଏ ଯେଉଁଠାରେ ଥିଲେ ଚାଲିଚାଲି ଘରକୁ ଫେରି ଆସୁଥିବା ର ଦେଖିବାକୁ ମିଳିଛି। ଗୁରବାର ସକାଳେ ଢେଙ୍କାନାଳ ଜିଲା ଭୂବନ ଅଞ୍ଚଳରେ ରହି ରାସ୍ତା ପିଚୁ କାମ କରୁଥିବା ୨୧ ଜଣ, କୁଆଖିଆ ଅଞ୍ଚଳରେ ଚାଷ କାମରେ ନିୟୋଜିତ ଥିବା ୪୦ ଜଣ,ଭଦ୍ରକ ଅଞ୍ଚଳରୁ ୬ ଜଣ ମିଶାଇ ମୋଟ ୬୮ ଜଣ ୩ ଦିନ ଧରି ଚାଲି ଚାଲି ଗୁରୁବାର ସକାଳେ ନିଜ ନିଜ ଘରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ ଠାକୁରମୁଣ୍ଡା ବ୍ଲକର ଖସକୁଦର,ତଳପଦା ସମେତ ସୀମାନ୍ତ ସାହାରପଡ଼ା ବ୍ଲକ କୁମୁଡାବାହାଳି ଗ୍ରାମର ବୋଲି ଜଣାପଡ଼ିଛି। ବାହାରେ ରହି ଏବେ ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି କରିଛି। ଆସିଥିବା ଏ ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ସ୍ଥାନୀୟ ସରପଞ୍ଚ ପରାମର୍ଶ ଦେଇଛନ୍ତି।