Categories: ଜାତୀୟ

ଚାରି ମହଲାରୁ ୨ପିଲାଙ୍କୁ ଫିଙ୍ଗିଦେଲେ: ଜଣେ ମୃତ

କୋଲକାତା,୧୬ା୬(ଆଇଏଏନ୍‌ଏସ୍‌): କୋଲକାତାର ବୁରାବଜାର ଅଞ୍ଚଳରେ ଏକ ବୀଭତ୍ସ ତଥା ହୃଦୟ ବିଦାରକ ଘଟଣା ଘଟିଛି। ପୂର୍ବ ଶତ୍ରୁତା କାରଣରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ରବିବାର ରାତିରେ ପଡୋଶୀଙ୍କ ଦୁଇ ଶିଶୁଙ୍କୁ ୪ ମହଲା ବିଲ୍ଡିଂରୁ ତଳକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ ବର୍ଷର ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬ ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଶିବକୁମାର ଗୁପ୍ତାଙ୍କୁ ପୋଲିସ ଗିରଫ କରିବା ସହ ମାମଲାର ତଦନ୍ତ କରୁଛି। ସ୍ଥାନୀୟ ସୂତ୍ର ଅନୁଯାୟୀ ଦୁଇ ଶିଶୁଙ୍କ ବାପାଙ୍କ ସହିତ ଗୁପ୍ତାଙ୍କର ଶତ୍ରୁତା ରହିଥିଲା। ସେମାନେ ରହୁଥିବା ବିଲ୍ଡିଂର ଏକ ସ୍ଥାନକୁ ନେଇ କିଛିଦିନ ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ରବିବାର ସମସ୍ତଙ୍କ ବ୍ୟବହୃତ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପିଲାଦ୍ୱୟ ଖେଳୁଥିବା ଦେଖି ଉତ୍‌କ୍ଷିପ୍ତ ଶିବକୁମାର ସେମାନଙ୍କୁ ଉଠାଇନେଇ ବିଲ୍ଡିଂରୁ ଫିଙ୍ଗିଦେଇଥିଲେ।

Share