ଚାକିରି କରାଇଦେବା କହି ୪୮ ଲକ୍ଷ ଠକେଇ ନକଲି ଭିସା:ଫ୍ଲାଇଟ୍‌ ଟିକେଟ ଦେଇ ଫସିଲେ ୩ କର୍ମଚାରୀ

ରଣପୁର,୨୦ା୧୧(ସ୍ବ.ପ୍ର.): ମାଲେସିଆରେ ଚାକିରି କରାଇଦେବା ବାହାନାରେ ନୟାଗଡ଼ ଜିଲା ରଣପୁର ବ୍ଲକ, ଖୋର୍ଦ୍ଧା ଜିଲା ବାଣପୁର, ବାଲୁଗଁା ଅଞ୍ଚଳର ପ୍ରାୟ ୬୦ ଜଣ ଯୁବକ ୪୮ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ନକଲି ଭିସା ଓ ଫ୍ଲାଇଟ୍‌ ଟିକେଟ ଦେଇ ଖସିଯାଉଥିବା ୩ କର୍ମଚାରୀଙ୍କୁ ବେକାର ଯୁବକମାନେ ଭୁବନେଶ୍ୱର ଏୟାରପୋର୍ଟରୁ ଉଠାଇଆଣି ରଣପୁର ଅଞ୍ଚଳରେ ଅଟକ ରଖିଛନ୍ତି। ହେଲେ ଏ ନେଇ ରଣପୁର ଥାନା ପୋଲିସ କିମ୍ବା କମିଶନରେଟ ପୋଲିସ ପାଖରେ ଖବର ନାହିଁ । ଧରପଗଡକୁ ଆଖିଆଗରେ ରଖି ବେକାର ଯୁବକମାନେ ଅଟକ ୩ କର୍ମଚାରୀଙ୍କ ବାରମ୍ବାର ସ୍ଥାନ ବଦଳାଉଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫, ବାଣପୁର, ବାଲୁଗଁା ଅଞ୍ଚଳର ୨୮ ଏପରି ମୋଟରେ ୬୦ ଜଣ ଯୁବକ ମାଲେସିଆରେ ଚାକିରି କରିବା ପାଇଁ ୮୦ ହଜାର ଟଙ୍କା ଲେଖାଏ ନୟାଗଡ଼ର ଜଣେ ଦଲାଲଙ୍କୁ ଦେଇଥିଲେ। ସୋମବାର ରାତିରେ ଏହି ଯୁବକମାନେ ଫ୍ଲାଇଟ୍‌ରେ ମାଲେସିଆ ଯିବାର ଥିଲା । ଏଣୁ ଯୁବକମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ରାତି ପ୍ରାୟ ୧୦ଟାରେ ସେମାନଙ୍କୁ ସମ୍ପୃକ୍ତ ଦଲାଲଙ୍କ ୩ଜଣ କର୍ମଚାରୀ ଭେଟି ଭିସା ଓ ଫ୍ଲାଇଟ ଟିକେଟ୍‌ ଦେଇଥିଲେ। ତେବେ ଭିସାକୁ ଦେଖି କେତେଜଣ ଯୁବକଙ୍କ ସନ୍ଦେହ ହୋଇଥିଲା । ସେହିପରି ରାତି ୧ଟାରେ ଯେଉଁ ଫ୍ଲାଇଟ୍‌ ଟିକେଟ କରାଯାଇଥିଲା ତାହା ମଧ୍ୟ ସନ୍ଦେହଘେରକୁ ଆସିଥିଲା । ସେ ସମୟରେ ମାଲେସିଆକୁ କୌଣସି ଫ୍ଲାଇଟ୍‌ ଯାଉ ନ ଥିଲା । ଭିସା ଓ ଫ୍ଲାଇଟ ଟିକେଟ ନକଲି ବୋଲି ଜଣାପଡିବା ପରେ ବେକାର ଯୁବକମାନେ ଉତ୍ତେଜିତ ହୋଇ ନୟାଗଡ ଅଞ୍ଚଳର ମ୍ୟାନେଜର, ସେଲସ୍‌ ମ୍ୟାନ ଓ ଆକାଉଣ୍ଟାଣ୍ଟ ପ୍ରମୁଖ ୩ କର୍ମଚାରୀଙ୍କୁ ଉଠାଇ ନେଇଥିଲେ। ସୋମବାର ବିଳମ୍ବିତ ରାତିରୁ ଏହି ୩ ଯୁବକ ଅଟକ ଅଛନ୍ତି। ଘଟଣାର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ସଦସ୍ୟ ଓ ପୋଲିସ ଅନ୍ଧାରରେ ଅଛନ୍ତି। ଅନ୍ୟପକ୍ଷେ ଚାକିରି ପାଇବା ଆଶାରେ କିଏ ଜମି ବିକିଛି ତ ଆଉ କିଏ ସ୍ତ୍ରୀଙ୍କ ଗହଣା ବିକି ଟଙ୍କା ଦେଇଛି। କେତେଜଣ କରଜ କରି ଟଙ୍କା ଦେଇଥିବା କହିଛନ୍ତି। ଠକେଇର ଶିକାର ହେବା ପରେ ସେମାନେ ବାଧ୍ୟ ହୋଇ ୩ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ବୋଲି ନିଜ ନଁା ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ କୁହନ୍ତି, ଲିଖିତ ଅଭିଯୋଗ ହୋଇନି। ତେବେ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରାଯିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।