Categories: ଜାତୀୟ

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯ା୬:ସୀମାରେ ଲାଗି ରହିଥିବା ଭାରତ ଓ ଚାଇନା ସେନାର ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଜବାବ ଦେବା ଲାଗି ଲୋକଙ୍କଠାରୁ ଆରମ୍ଭ କରି ସରକାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହାର ଫଳସ୍ବରୂପ ଭାରତୀୟ ରେଳ ଚାଇନା କମ୍ପାନୀ ସହ କରିଥିବା ୪୭୧ କୋଟିର ଏକ ରେଳ ପ୍ରକଳ୍ପ କାର୍ଯ୍ୟ ଚୁକ୍ତିକୁ ରଦ୍ଦ କରିଦେଇଛି। ଭାରତୀୟ ରେଳର ପୂର୍ବାଞ୍ଚଳ ମାଲ୍‌ କରିଡ଼ର ଅଞ୍ଚଳ କାନପୁରରୁ ମୋଗଲସରାଇ ପର୍ଯ୍ୟନ୍ତ ପ୍ରାୟ ୪୧୭କି.ମି. ବିଶିଷ୍ଟ ଟେଲି କମ୍ୟୁନିକେସନ ପ୍ରକଳ୍ପ କାର୍ଯ୍ୟକୁ ଚାଇନାର ବେଜିଂ ନ୍ୟାଶନାଲ ରେଲଓ୍ବେ ରିସର୍ଚ୍ଚ ଆଣ୍ଡ ଡ଼ିଜାଇନ ଇନଷ୍ଟ୍ୟୁଟି ଅଫ୍‌ ସିଗନାଲ ଆଣ୍ଡ କମ୍ୟୁନିକେଶନ ଗ୍ରୁପକୁ ୨୦୧୬ରେ କଣ୍ଟ୍ରାକ୍ଟ ଦିଆଯାଇଥିଲା। ଚୁକ୍ତି ମୁତାବକ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ୨୦୧୯ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ମାତ୍ର ୨୦% କାର୍ଯ୍ୟ କରିଛି। ଠିକ୍‌ ସମୟରେ କାର୍ଯ୍ୟଶେଷ କରିବା ନେଇ ସମସ୍ୟା ଦେଖା ଦେବାରୁ ରେଲଓ୍ବେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସେହିଭଳି ରାଷ୍ଟ୍ରାୟତ୍ତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଆଗାମୀ ଦିନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର ନ କରିବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ବିଚାର କରିବାକୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।

Share