Categories: ଜାତୀୟ

ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ

ନୂଆଦିଲ୍ଲୀ,୨୮ା୫(ପି.ଟି.): ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ। ୧୯୫୦ ନଭେମ୍ବର ୭ରେ ଭାରତର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ପତ୍ର ଲେଖି ଏହା ଜଣାଇଥିଲେ। ସେହି ସମୟରେ ଚାଇନାର ନୂତନ କମ୍ୟୁନିଷ୍ଟ ଶାସକ ତିବ୍ବତ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ନାଁରେ ଚାଇନା ସରକାର ଆମପ୍ରତି ଛଳନା କରୁଛନ୍ତି। ସେମାନେ ତିବ୍ବତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହାନ୍ତି ବୋଲି କହି ଭାରତୀୟ ରାଷ୍ଟ୍ରଦୂତଙ୍କଠାରେ ଏକ ମିଥ୍ୟା ଆତ୍ମବିଶ୍ୱାସ ଚାପିଦେବାରେ ସଫଳ ହୋଇଛନ୍ତି। ମୋ ବିଚାରରେ ଚାଇନାର କାର୍ଯ୍ୟାନୁଷ୍ଠାନ ବିଶ୍ୱାସଘାତକତାଠାରୁ କମ୍‌ ନୁହେଁ ବୋଲି ସର୍ଦ୍ଦାର ପଟେଲ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।
ସର୍ଦ୍ଦାର ପଟେଲଙ୍କ ପତ୍ରରେ ଭାରତର ଉତ୍ତର ସୀମାନ୍ତ ସ୍ଥିତି ସମ୍ପର୍କରେ ସବିଶେଷ ବିବରଣୀ ସହ ଆକ୍ରମଣ ସମ୍ଭାବନା ନେଇ ସତର୍କ କରିଦିଆଯାଇଥିଲା। ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାରତ-ଚାଇନା ସମ୍ପର୍କର ବାସ୍ତବତାକୁ ଲୌହମାନବ ତାଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ। ଆମେ ଚାଇନାକୁ ବନ୍ଧୁ ଭାବେ ଦେଖୁଥିବାବେଳେ ସେମାନେ ଆମକୁ ସେଭଳି ନଜରରେ ଦେଖୁନାହାନ୍ତି। ଯେଉଁମାନେ ସେମାନଙ୍କ ସହ ନାହାନ୍ତି, ସେମାନେ ତାଙ୍କର ବିରୋଧୀ ବୋଲି ଚାଇନାର କମ୍ୟୁନିଷ୍ଟ ମାନସିକତା ରହିଛି। ଏହା ଏକ ଉଲ୍ଲେଖନୀୟ ସୂଚକ ଯାହାକୁ ଆମେ ମନେରଖିବା ଉଚିତ ବୋଲି ପଟେଲ ତାଙ୍କ ପତ୍ରରେ ଲେଖିଥିଲେ।
ମିଳିତ ଜାତିସଂଘରେ ଚାଇନାର ପ୍ରବେଶ କାରଣରୁ ଗତ କିଛି ମାସ ମଧ୍ୟରେ ଚାଇନା କ୍ୟାମ୍ପ୍‌ ବାହାରେ ସମର୍ଥନ ପାଇବାରେ ଆମେ ବାସ୍ତବରେ ଏକୁଟିଆ ହୋଇଯାଇଛୁ। ଫର୍ମୋସା ପ୍ରସଙ୍ଗରେ ଆମେରିକୀୟଙ୍କ ପ୍ରତିଶ୍ରୁତି ମିଳୁଛି। ଏହାର ନ୍ୟାଯ୍ୟ ଦାବିକୁ ସମର୍ଥନ ଦେବାରେ ଆମେ ଆମେରିକା, ବ୍ରିଟେନ ଏବଂ ୟୁଏନ୍‌ଓରେ ଆଲୋଚନା କରିଛୁ। ଚାଇନାର ମନୋଭାବକୁ ଶାନ୍ତ କରିବାରେ ଯାହା ସମ୍ଭବ ହୋଇପାରେ ଆମେ ତାହା କରିଛୁ। ଏହା ସତ୍ତ୍ୱେ ଚାଇନା ଆମର ନିରପେକ୍ଷତାକୁ ବୁଝିନାହିଁ। ସେମାନେ ଆମକୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଛନ୍ତି। ଆମର ଚାଇନା ପ୍ରତି ସଦ୍ଦିଚ୍ଛା ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଭଲଭାବେ ଅବଗତ କରିସାରିଛୁ। ଏହାଠାରୁ ଆଉ ଅଧିକ କିଛି କରାଯାଇପାରିବ ବୋଲି ସେ ଭାବୁ ନ ଥିବା ସର୍ଦ୍ଦାର ପଟେଲ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ। ଏହି ପତ୍ର ଲେଖିବାର ମାସକ ପରେ ପଟେଲଙ୍କର ପରଲୋକ ହୋଇଥିଲା।

Share