Categories: ବାଣିଜ୍ୟ

ଚାଇନା ଆଣୁଛି ସରକାରୀ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍‌ଏମ୍‌ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି କରେନ୍ସି ଲାଗୁ ହେବ ବୋଲି ସେଠାକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ଡିଜିଟାଲ କରେନ୍ସିକୁ ବିକଶିତ କରିଛି। ପ୍ରମୁଖ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ଏହା ପ୍ରଥମ ସରକାରୀ ଡିଜିଟାଲ କରେନ୍ସି ହେବ। ସେଞ୍ଜେହେନ, ସୁଝୁ, ଚେଙ୍ଗଡୁ ସମେତ ଦକ୍ଷିଣ ବେଜିଂର ଜିଓଙ୍ଗାନ ଭଳି ସ୍ଥାନଗୁଡିକରେ ଏହାକୁ ଶୁଭାରମ୍ଭ କରିବା ନେଇ ଯୋଜନା ରଖାଯାଇଛି। ସରକାରୀ ଗଣମାଧ୍ୟମ ଚାଇନା ଡେଲି ପକ୍ଷରୁ କୁହାଯାଇଛି ଯେ, ଏହାକୁ ନିର୍ଦ୍ଧାରିତ ସହରଗୁଡିକର ମନିଟାରି ସିଷ୍ଟମରେ ଲାଗୁ କରାଯିବା ନେଇ ନିଷ୍ପତ୍ତି ହୋଇଛି। କେତେଜଣ ସରକାରୀ କର୍ମଚାରୀ ସେମାନଙ୍କ ମେ ମାସର ବେତନ ଏହି ଡିଜିଟାଲ କରେନ୍ସିରେ ଲାଭ କରିବେ।
ରିପୋର୍ଟ ମୁତାବକ, ସୁଝୋ ସହରରେ ସବ୍‌ସିଡି ପରିବହନ ସେବା ଯୋଗାଣ ଲାଗି ଏହି ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଏହାବାଦ ଜିଓଙ୍ଗାନ ସହରରେ ପ୍ରାଥମିକ ଭିତ୍ତିରେ ଖାଦ୍ୟ ସାମଗ୍ରୀ ଓ ରିଟେଲ ବର୍ଗରେ ଏହି କରେନ୍ସି ବ୍ୟବହାର ହେବାର ଯୋଜନା ରହିଛି। ମ୍ୟାକଡୋନାଲ୍ଡ ଏବଂ ଷ୍ଟାରବକ୍ସ ଭଳି କମ୍ପାନୀ ଏହି ପରୀକ୍ଷଣରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏ ନେଇ ଷ୍ଟାବକ୍ସର ପ୍ରତିକ୍ରିୟା ଲୋଡାଯାଇଥିବା ବେଳେ ଏଥିରେ ଭାଗ ନେଇ ନ ଥିବା କମ୍ପାନୀ କହିଛି। ସେହିଭଳି ମ୍ୟାକଡୋନାଲ୍ଡର ପ୍ରତିକ୍ରିୟା ଏଯାଏ ମିଳିପାରିନାହିଁ।
ଚାଇନାରେ ଏବେ ଡିଜିଟାଲ କରେନ୍ସି ବହୁଳ ଭାବେ ବ୍ୟବହାର ହେଉଛି। ଏହି କରେନ୍ସିଗୁଡିକ ମଧ୍ୟରେ ଆଲିବାବା ଆଣ୍ଟ ଫାଇନାନ୍ସିଆଲର ଆଲି ପେ, ଟେନସେଣ୍ଟର ଓ୍ବି ଚାଟ ଭଳି ରହିଛନ୍ତି। ନୂଆ ଡିଜିଟାଲ କରେନ୍ସି ଲାଗୁ ହେବାକୁ ଥିଲେ ମଧ୍ୟ ପୂର୍ବରୁ ଚାଲି ଆସୁଥିବା ଡିଜିଟାଲ କରେନ୍ସି ବନ୍ଦ ହେବ ନାହିଁ। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନାର ଡିଜିଟାଲ କରେନ୍ସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏପ୍ରିଲରେ ନୂଆ ବ୍ୟବସ୍ଥା ହାତକୁ ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏହାକୁ ପରିଚାଳନା କରାଯାଉଥିବାରୁ ଭବିଷ୍ୟତର ଆର୍ଥତ୍କ, ପେମେଣ୍ଟ, ବାଣିଜ୍ୟ ଏବଂ ସୋସିଆଲ ଗଭର୍ନାନ୍ସ ଦିଗରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କୁହାଯାଉଛି। ଡଲାର ସିଷ୍ଟମ ସେଟେଲମେଣ୍ଟ ଏବଂ ବିଶ୍ୱ ବାଣିଜ୍ୟର କରେନ୍ସି ବଜାରରେ ଏହା ବିକଳ୍ପ ହେବ ବୋଲି ବିଶେଷଜ୍ଞ କହିଛନ୍ତି।

Share