ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି

ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ ଦାନ କରିଥିଲା। ତେବେ ବର୍ତ୍ତମାନ ଇଟାଲିରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଇଟାଲିରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ)ର ଆବଶ୍ୟକତା ଦେଖାଦେଇଛି। ମାତ୍ର ଚାଇନା ପୂର୍ବରୁ ଇଟାଲି ଦାନରେ ଦେଇଥିବା ଏହି ଉପକରଣଗୁଡ଼ିକୁ ବିକ୍ରି କରିବାକୁ ଚାହୁଁଛି। ସାରା ପୃଥିବୀରେ କରୋନା ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ଚାଇନାର ଏଭଳି ବ୍ୟବସାୟ ମନୋଭାବ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇତିମଧ୍ୟରେ ଚାଇନା ସ୍ପେନ୍‌କୁ କରୋନା ଟେଷ୍ଟ୍‌ କିଟ୍‌ ବିକ୍ରି କରିଥିଲା। ସେଥିମଧ୍ୟରୁ ୫୦,୦୦୦ ଖରାପ ଥିବା କୁହାଯାଉଛି। ଖରାପ କିଟ୍‌ଗୁଡ଼ିକ ସ୍ପେନ୍‌ ଚାଇନାକୁ ଫେରାଇ ଦେଇଛି।

Share