Categories: ବାଣିଜ୍ୟ

ଚଳନ୍ତି ଖାତା ନିଅଣ୍ଟ ୦.୯%

ନୂଆଦିଲ୍ଲୀ,୧-୧: ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜୁଲାଇ-ସେପ୍ଟେମ୍ବର ସମୟରେ ମୋଟ ଜିଡିପିର ୦.୯% ବା ୬.୩ ବିଲିୟନ ଡଲାର ରହିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ କମିଥିବା ଜଣାପଡିଛି। ୨୦୧୮-୧୯ ସମାନ ସମୟରେ ସିଏଡି ମୋଟ ଜିଡିପିର ୨.୯% ବା ୧୯ ବିଲିୟନ ଡଲାର ରହିଥିଲା। ୨୦୧୯ ଜୁନରେ ଶେଷ ହୋଇଥିବା ତ୍ରୈମାସରେ ସିଏଡି ମୋଟ ଜିଡିପିର ୨% ବା ୧୪.୨ ବିଲିୟନ ଡଲାର ଥିଲା। ଦେଶ ମଧ୍ୟରେ କେତେ ପରିମାଣର ବିଦେଶୀ ମୁଦ୍ରା ଆସିଲା ଏବଂ କେତେ ପରିମାଣ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି ତା ମଧ୍ୟରେ ଥିବା ଅନ୍ତରକୁ ସାଧାରଣତଃ ସିଏଡି ଭାବେ ବିଚାର କରାଯାଇଥାଏ। ଗୋଟିଏ ବର୍ଷ ତଳେ ବାଣିଜ୍ୟ ନିଅଣ୍ଟ ୫୦ ବିଲିୟନ ଡଲାର ରହିଥିଲା। ଚଳିତ ବର୍ଷ ଧାର୍ଯ୍ୟ ସମୟରେ ଏହା ୩୮.୧ ବିଲିୟନ ଡଲାରକୁ ଖସିଥିବା ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ସୂଚନା ଦେଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମାର୍ଦ୍ଧରେ ସିଏଡି ମୋଟ ଜିଡିପିର ୧.୫% ରହିଛି। ଏହା ୨୦୧୮-୧୯ ସମାନ ସମୟରେ ୨.୬% ରହିଥିଲା। ଏହି ସମୟରେ ବାଣିଜ୍ୟ ନିଅଣ୍ଟ ୮୪.୩ ବିଲିୟନ ଡଲାରକୁ ଖସିଥିବା ବେଳେ ଗତ ବର୍ଷ ପ୍ରଥମାର୍ଦ୍ଧରେ ଏହା ୯୫.୮ ବିଲିୟନ ଡଲାର ରହିଥିଲା। ଦ୍ୱିତୀୟ ତ୍ରୈମାସରେ ବାଲାନ୍ସ ଅଫ ପେମେଣ୍ଟ ୫.୧୨ ବିଲିୟନ ଡଲାର ଏବଂ ଚଳିତ ଆର୍ଥତ୍କ ବର୍ଷ ପ୍ରଥମାର୍ଦ୍ଧରେ ଏହା ୧୯.୧୦ ବିଲିୟନ ଡଲାର ରହିଛି। ଦ୍ୱିତୀୟ ତ୍ରୈମାସରେ ନେଟ୍‌ ଏଫ୍‌ଡିଆଇ ୭.୪ ବିଲିୟନ ଡଲାର ରହିଛି। ପୁଞ୍ଜି ବଜାରରକୁ ବିଦେଶୀ ନିବେଶକଙ୍କ ବିଦେଶୀ ନିବେଶ ସେପ୍ଟେମ୍ବର ତ୍ରୈମାସରେ ୨.୫ ବିଲିୟନ ଡଲାର ରହିଛି। ଗତ ବର୍ଷ ସମାନ ସମୟରେ ନିବେଶକମାନେ ୧.୬ ବିଲିୟନ ଡଲାର ପୁଞ୍ଜି ପ୍ରତ୍ୟାହାର କରି ନେଇଥିଲେ।

Share