Categories: ବାଣିଜ୍ୟ

ଚନ୍ଦା କୋଚ୍ଚର, ବେଣୁଗୋପାଳ ଧୂତ୍‌ଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୦-୬: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୂତ୍‌ଙ୍କୁ ଜେରା କରିଛି। ଜଣେ ଅଧିକାରୀ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି। ଅତୀତରେ ଭିଡିଓକନ ଋଣ ମାମଲାରେ ସେମାନଙ୍କୁ ଇଡି ପକ୍ଷରୁ ଏକାଧିକ ଥର ଜେରା କରାଯାଇସାରିଛି। ଏହି ମାମଲାରେ ଗତ ମାସରେ ଚନ୍ଦା ଓ ଦୀପକଙ୍କ ବୟାନ ରେକର୍ଡ କରାଯାଇଛି। ଦୀପକଙ୍କ ଭାଇ ତଥା ଚନ୍ଦାଙ୍କ ଦିଅର ରାଜୀବ କୋଚ୍ଚର ମଧ୍ୟ ବହୁବାର ଜେରାର ସମ୍ମୁଖୀନ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ ଗ୍ରୁପ୍‌କୁ ୧୮୭୫ କୋଟି ଟଙ୍କା ଋଣ ଦିଆଯିବା ନେଇ ମାମଲା ଦାଏର ହେବା ପରେ ସିବିଆଇ ଓ ଇଡି ପକ୍ଷରୁ ସ୍ବତନ୍ତ୍ର ଭାବେ ମାମଲା ଦାଏର କରାଯାଇ ତଦନ୍ତ କରାଯାଉଛି।

Share