Categories: ଫୁରସତ

ଚଢ଼େଇବସାରୁ ତିଆରି ହୁଏ ସୁପ୍‌

ଏମିତି ଏକ ଚଢ଼େଇ ଅଛି ଯାହାର ବସାକୁ ଆଣି ସୁପ୍‌ ତିଆରି କରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ମାଲେସିଆରେ ଦେଖାଯାଉଥିବା ଏଭଳି ଚଢ଼େଇର ନାମ ସ୍ବିଫ୍ଟଲେଟ୍‌ ବାର୍ଡ। ସ୍ବିଫ୍ଟଲେଟ୍‌ ଯେଉଁ ବସା ତିଆରିକରେ ତାହାର ମୂଲ୍ୟ ସେଠାରେ ବହୁ ଅଧିକ। ଏହା ତା’ ପାଟିର ଲାଳରୁ ତା’ ପାଇଁ ବସା ତିଆରିକରେ। ବସାଟି ଦେଖିବାକୁ ଅତି ସୁନ୍ଦର। ହଳଦୀ ମିଶା ଧଳା ରଙ୍ଗର ବସା। ଆଉ ମଜାର କଥା ସେହି ବସାରୁ ହିଁ ସ୍ବାଦିଷ୍ଟ ‘ସୁପ୍‌’ ତିଆରି ହୋଇଥାଏ। ତାହାର ମୂଲ୍ୟ ମଧ୍ୟ କିଛି କମ୍‌ ନୁହେଁ। ତଥାପି ସେହି ସୁପ୍‌ ପିଇବା ପାଇଁ ମଧ୍ୟ ସେଠାକାର ଲୋକଙ୍କ ରୁଚି ବେଶି। ତାହାର କାରଣ ହେଉଛି ସେହି ସୁପ୍‌ରେ ରହିଛି ଅନେକ ଔଷଧୀୟ ଗୁଣ। ସୁପ୍‌ ପିଇବାକୁ ତ ଭାରି ସ୍ବାଦିଷ୍ଟ। ପୁଣି ସେଥିରେ ଔଷଧୀୟ ଗୁଣ ରହିଥିବାରୁ ତାହାର ଚାହିଦା ମଧ୍ୟ କାହିଁରେ କେତେ। ଏହି କାରଣ ପାଇଁ ମାଲେସିଆରେ ସ୍ବିଫ୍ଟଲେଟ ଚଢ଼େଇ ଫାର୍ମ ମଧ୍ୟ ରହିଛି। କେତେକ ସ୍ଥଳରେ ନାଚୁରାଲ ଫାର୍ମ କରାଯାଇଥାଏ ଯେମିତିକି ସ୍ବିଫ୍ଟଲେଟ୍‌ ଚଢ଼େଇ ମନକୁମନ ଆସି ସେଠାରେ ବସାବାନ୍ଧିବ। ପୁଣି କେତେକ ସ୍ଥାନରେ ସ୍ବିଫ୍ଟଲେଟ୍‌ ଚଢ଼େଇ ଚାଷ ମଧ୍ୟ କରାଯାଉଛି। ଆଉ ସେମାନଙ୍କ ଦ୍ୱାରା ବସା ପ୍ରସ୍ତୁତ କରାଯାଉଛି।

Share