Categories: ଜାତୀୟ

ଘୋଷଣାପତ୍ରରେ ଭାଜପା କହିଲା ଶାସନକୁ ଆସିଲେ କମିବ ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବହୁ ଘୋଷଣା କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣାପତ୍ର ଜାରି କରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନିତିନ ଗଡକରି, ଡା. ହର୍ଷବର୍ଦ୍ଧନ, ଭାଜପା ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରି ଶ୍ୟାମ ଜାଜୁ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଆଦିଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି। ଏଥିରେ ଭାଜପା ଘୋଷଣା କରିଛି ଏଥର ତା’ ହାତକୁ ଶାସନ କ୍ଷମତା ଆସିଲେ ଦିଲ୍ଲୀରେ ଜଳ ଓ ବାୟୁ ପ୍ରଦୂଷଣର ମାତ୍ରା କମିଯିବ। ଏବେ ଦିଲ୍ଲୀ-ମୁମ୍ବାଇ ହାଇଓ୍ବେ କାମ ଆରମ୍ଭ କରାଯାଇଥିବା ବେଳେ ଏହା ଖୁବ୍‌ଶୀଘ୍ର ସରିବ। ଏହାପରେ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବାକୁ ମାତ୍ର ୧୨ ଘଣ୍ଟା ଲାଗିବ ବୋଲି କହିଛନ୍ତି ଗଡକରି। ସେହିପରି ଘୋଷଣାପତ୍ରରେ ଭାଜପା କହିଛି ଦିଲ୍ଲୀରେ ପ୍ରାୟ ୨ଶହ ନୂଆ ସ୍କୁଲ ନିର୍ମାଣ କରାଯିବ, ଗରିବଙ୍କୁ ୨ ଟଙ୍କାରେ ଅଟା ମିଳିବ ଆଦି ଆହୁରି ଅନେକ କିଛି।

Share