Categories: ମେଟ୍ରୋ

ଘର ଭଙ୍ଗା ତଥ୍ୟର ରହୁନି ତାଳମେଳ: ତହସିଲଦାର, ବିଡିଓଙ୍କୁ ଘେରିଲେ ବିପନ୍ନ

ଗୋପ, ୬।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଥିବାବେଳେ ସରକାରୀ ସହାୟତା ପାଇବା ଲାଗି ବ୍ଲକ ଓ ତହସିଲରେ ଭିଡ଼ ଜମାଉଛନ୍ତି। ବାସ୍ତବତା ଖୋଜିଲେ ବ୍ଲକ ଓ ତହସିଲରେ ଘରଭଙ୍ଗା ତଦନ୍ତ ତାଲିକାରେ ତାଳ ମେଳ ରହୁ ନ ଥିବାବେଳେ ବିଶେଷ କରି ଏହି ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି ଓ କୋଠାଘର ଥିବା ଲୋକମାନଙ୍କର ନାଁ ଥିବା ନେଇ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଶହ ଶହ ବିପନ୍ନ ପୁନଃ ତଦନ୍ତ ଦାବିରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ଘେରାଉ କରିଥିଲେ।
ଗତ ୩ ତାରିଖ ସାମୁଦ୍ରିକ ଝଡ଼ ଫନୀରେ ଗୋପ ବ୍ଲକରେ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ସର୍ବସ୍ବ ହରାଇଥିବା ବିପନ୍ନମାନେ ଆଶ୍ରୟସ୍ଥଳରୁ ଘରକୁ ଫେରିଥିବାବେଳେ ଏବେ ମଧ୍ୟ ହଜାର ହଜାର ବିପନ୍ନ ଭଙ୍ଗା ଘରେ ଜରି ପାଲ ଟାଣି ପରିବାର ସହ ରହୁଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଗୋପ ତହସିଲ ଓ ବ୍ଲକ ପକ୍ଷରୁ ଗତ ୧୭ ତାରିଖରୁ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର ୧୭ ହଜାର ଘର ତଦନ୍ତ ପରିସରଭୁକ୍ତ ହୋଇଛି। ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଲାଗିଥିବା ଘରଭଙ୍ଗା ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି, କୋଠାଘରେ ଥିବା ବ୍ୟକ୍ତିଙ୍କ ନାମ ରହିଥିବାବେଳେ ପ୍ରକୃତ ଘର ଭାଙ୍ଗିଥିବା ଗରିବ ଲୋକମାନଙ୍କର ନାଁ ନ ଥିବା ଭଳି ଅଭିଯୋଗ ହୋଇଛି। ଏହି ଘରଭଙ୍ଗା ତାଲିକା ଲାଗିବା ପରେ ଗରିବ ଲୋକମାନେ ନିଜର ଗୃହ ପୁନଃ ତଦନ୍ତ ଦାବିରେ ପ୍ରଚଣ୍ଡ ଖରାରେ ବ୍ଲକ୍‌, ତହସିଲ ଦୌଡ଼ିବା ବେଳେ କେବଳ ଅଭିଯୋଗ ଦିଅ ବୋଲି ବ୍ଲକ ତହସିଲ ପକ୍ଷରୁ ବିପନ୍ନମାନଙ୍କୁ କୁହାଯାଉଛି। ଗୋପ ବ୍ଲକ ଅଧୀନ ବନ୍ତଳୀଗ୍ରାମ ଗ୍ରାମ ପଞ୍ଚାୟତର ତରଣା ଗ୍ରାମର ଦୁଃଶାସନ ପ୍ରଧାନଙ୍କ ଘର ଓ ଏହି ପଞ୍ଚାୟତ ଅଧୀନ ତାଳକପା ଗ୍ରାମର ଭିକାରୀ ବରାଳଙ୍କ ଘର ସହିତ ଆଉ ଅନ୍ୟାନ୍ୟ ପଞ୍ଚାୟତର ଗରିବ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସେମାନଙ୍କ ନାମ ତାଲିକାରେ ନ ଥିବା ଜଣାପଡ଼ିଛି। ବିପନ୍ନମାନେ ସରକାରୀ ସହାୟତା ପାଇବା ପାଇଁ ଗୁରୁବାର ଘଣ୍ଟା ଘଣ୍ଟା ଧରି ଦୁଇ ଅଧିକାରୀଙ୍କୁ ଘେରାଉ କରିଥିଲେ ମଧ୍ୟ କେବଳ ପୁନଃ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ତାହା କେବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ପଚାରିବାରେ ତଦନ୍ତ ତାଲିକା ଦେଖିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହଥିଲେ।