ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

ପଶ୍ଚିମବଙ୍ଗ,୧୧।୨: କଥାରେ ଅଛି ସାରୁ ଖୋଳୁ ଖୋଳୁ ମହାଦେବ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ। ଘର ନିର୍ମାଣ ପାଇଁ ମାଟି ଖୋଳୁଥିବା ବେଳେ ବହୁ ବର୍ଷର ପୁରାତନ ସୁଡଙ୍ଗ ମିଳିଥିବା ଜଣାପଡ଼ିଛି। ଏହି ସୁଡଙ୍ଗର ଉଚ୍ଚ ୧୦ ଫୁଟ୍‌ ଓ ଚଉଡା ୪ ଫୁଟ୍‌ ରହିଛି। ଐତିହାସିକମାନେ ଏହାକୁ ୨୦୦-୩୦୦ବର୍ଷର ପୁରୁଣା ସୁଡଙ୍ଗ ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ବର୍ଦ୍ଧମାନ ଜିଲା ମହତା ଗାଁର ଜିଆରୁଲ ମଲିକ ଶନିବାର ଘର ନିର୍ମାଣ ପାଇଁ ମାଟି ଖୋଳିଥିଲେ। ମାଟି ଖୋଳାଯାଉଥିବା ବେଳେ ଏହାର ଏକ ଅଂଶ ତଳକୁ ଦବି ଯାଇଥିଲା। ଏନେଇ ଜିଆରୁଲ ଜିଲା ଅଧିକାରୀ, ପତ୍ନତତ୍ତ୍ୱ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଜିଲା ଅଧିକାରୀ, ପତ୍ନତତ୍ତ୍ୱ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହାପରେ ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ଖୋଳାଯାଇଥିଲା। ଖୋଳାଯିବା ପରେ ସୁଡଙ୍ଗର କିଛି ଫଟୋକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ବିଭାଗ ଯାଞ୍ଚ କରିଥିଲେ। ପ୍ରାଥମିକ ଯାଞ୍ଚ ପରେ ଏହା ୨୦୦-୩୦୦ବର୍ଷର ପୁରୁଣା ବୋଲି ଏଏସ୍‌ଆଇ ବିଭାଗ ଅନୁମାନ କରିଛି। ଆଉ କିଏ ଏହାକୁ ରାଜ ପରିବାରର ସୁଡଙ୍ଗ ବୋଲି କହୁଛନ୍ତି। ତେବେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏହାର ସତ୍ୟତା ପଦାକୁ ଆସିବ ବୋଲି ଉକ୍ତ ବିଭାଗର ଅଧିକାରୀ କହିଛନ୍ତି। ଅପରପକ୍ଷେ ଏହି ସୁଡଙ୍ଗକୁ ଦେଖିବା ପାଇଁ ଜିଲା ବାହାରୁ ଲୋକଙ୍କ ଭିଡ ଜମୁଥିବାରୁ ମହତା ଗଁାକୁ ଘେରାବନ୍ଦୀ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Share