Categories: ବାଣିଜ୍ୟ

ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ ୭ ଗୁଣ ଅଧିକ ବୋଲି ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍‌ଏସ୍‌ଏସ୍‌) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ହାରାହାରି ପ୍ରାୟ ୪,୪୫୨ ଟଙ୍କା ରହିଥିବା ବେଳେ ଏହା ଘରୋଇ ହସ୍ପିଟାଲ କ୍ଷେତ୍ରରେ ୩୧,୮୪୫ ଟଙ୍କା ରହିଛି। ଏହି ରିପୋର୍ଟରେ ପ୍ରସବ ଜନିତ ଖର୍ଚ୍ଚ ପ୍ରସଙ୍ଗକୁ ସାମିଲ କରାଯାଇ ନାହିଁ। ୨୦୧୭-୧୮ର ଜୁଲାଇ-ଜୁନ ମଧ୍ୟରେ ହୋଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ସହରାଞ୍ଚଳରେ ସରକାରୀ ହସ୍ପିଟାଲର ଖର୍ଚ୍ଚ ପ୍ରାୟ ୪,୮୩୭ ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪୨୯୦ ଟଙ୍କା ରହିଛି।
ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗ୍ରାମାଞ୍ଚଳରେ ପ୍ରାୟ ୨୭,୪୩୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହରାଞ୍ଚଳରେ ଏହା ୩୮,୮୨୨ ଟଙ୍କା ରହିଛି। ଗ୍ରାମାଞ୍ଚଳରେ ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ପରିବାର ପିଛା ହାରାହାରି ଖର୍ଚ୍ଚ ୧୬,୬୭୬ ଟଙ୍କା ରହିଛି। ଏହା ସହରାଞ୍ଚଳରେ ୨୬, ୪୭୫ ଟଙ୍କା ରହିଛି। ୧.୧୩ ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି। ପୂର୍ବରୁ ଏଭଳି ସର୍ଭେ ୧୯୯୫-୯୬, ୨୦୦୪ ଏବଂ ୨୦୧୪ରେ କରାଯାଇଥିଲା। ଚିକିତ୍ସା ଲାଗି ୪୨% ଲୋକ ସରକାରୀ ଡାକ୍ତରଖାନାକୁ ଚୟନ କରୁଥିବା ବେଳେ ୫୫% ଲୋକ ଘରୋଇ କ୍ଷେତ୍ର ହସ୍ପିଟାଲକୁ ଚୟନ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ଅନୁପାତ ୨.୭% ରହିଛି। ପ୍ରସବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସରକାରୀ ହସ୍ପିଟାଲ ଖର୍ଚ୍ଚ ପ୍ରାୟ ୨୪୦୪ ଟଙ୍କା ଥିବା ବେଳେ ଏହା ଘରୋଇ ହସ୍ପିଟାଲରେ ୨୦,୭୮୮ ଟଙ୍କା ରହିଛି। ସେହିଭଳି ସହରର ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ଲାଗି ଉକ୍ତ ବର୍ଗରେ ଯଥାକ୍ରମେ ୩,୧୦୬ ଟଙ୍କା ଏବଂ ୨୯,୧୦୫ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

Share