ଘରଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

ବନ୍ତ,୮ା୪(ନି.ପ୍ର.): କରୋନା ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅଧୀନ ୧୧ଟି ୱାର୍ଡର ୧୧୯୫ଜଣ ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା ଘର ଘର ବୁଲି ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରୁଥିବାର ଦେଖାଯାଇଛି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀମାନଙ୍କ ଘର ପାଖରେ ଆର୍ଥିକ ସହାୟତା ପହଞ୍ଚାଇଥିବାର ଜଣାଯାଇଛି। ଅର୍ଥରାଶି ବଣ୍ଟନ ବେଳେ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଥିଲା।