ଘରଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ

ଭବାନୀପାଟଣା,୧୭ା୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କର୍ମୀ। ସେମାନେ ଘରଘର ବୁଲି ସଚେତନତାର ବାର୍ତ୍ତା ଦେଉଛନ୍ତି। ଏପରିକି ରାଜ୍ୟ ଓ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଘର ସମ୍ମୁଖକୁ ଯାଇ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି ଦେଖିବାକୁ ମିଳିଛି କାଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ପାଇକବୋରୀ ଗାଁରେ। ପାଇକବୋରୀ ଗାଁର ଅଙ୍ଗନଓ୍ବାଡି କର୍ମୀ ଚଞ୍ଚଳା ସାହୁ ତାଙ୍କ ଅଧୀନରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ମାସ୍କ ଲଗାଇବା, ଗାଁରେ ତାସ ନ ଖେଳିବା, କ୍ରିକେଟ ଓ ବିଭିନ୍ନ ସଂଗରୋଧ ଖେଳକୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଲାଞ୍ଜିଗଡ଼ ବ୍ଲକର ୧୬୩ ଜଣ ଅଙ୍ଗନଓ୍ବାଡ଼ି କର୍ମୀ ଓ ୫୦ ଜଣ ମିନି ଅଙ୍ଗନଓ୍ବାଡ଼ି କର୍ମୀ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ଲାଞ୍ଜିଗଡ଼ ସିଡିପିଓ କୁସୁମ କୁମାରୀ ପ୍ରହରାଜ ଏବଂ ବିଭିନ୍ନ ସେକ୍ଟରରେ ରହିଥିବା ସୁପରଭାଇଜରମାନେ ସହଯୋଗ କରୁଛନ୍ତି।