Categories: ବାଣିଜ୍ୟ

ଘରକ୍ରେତା, ବ୍ୟାଙ୍କ ଟଙ୍କା ବିଦେଶୀରେ ନିବେଶ କରିଛି ୟୁନିଟେକ୍‌

ନୂଆଦିଲ୍ଲୀ,୧୯-୧: ରିୟଲ ଇଷ୍ଟେଟ କମ୍ପାନୀ ୟୁନିଟେକ୍‌ ଗ୍ରାହକଙ୍କ ଝାଳବୁହା ଧନକୁ ଠକେଇ କରି ବିଦେଶର ଅଫସୋର କମ୍ପାନୀରେ ନିବେଶ କରିଛି। ସେହିଭଳି ବ୍ୟାଙ୍କର ଋଣ ଅର୍ଥକୁ କମ୍ପାନୀ ଏଭଳି କାର୍ଯ୍ୟରେ ଲଗାଇଛି। ଏହି ଭାବେ ୟୁନିଟେକ ୨୯,୮୦୦ ଗ୍ରାହକ ଏବଂ ବ୍ୟାଙ୍କଗୁଡିକୁ ଠକିଥିବା ଏହି କମ୍ପାନୀର ଫୋରେନସିକ ଅଡିଟ ହେବା ପରେ ଏହା ଜଣାପଡିଛି। ଲୋକଙ୍କ ଟଙ୍କା ଘର ନିର୍ମାଣରେ ନୁହେଁ ବର ଏହାକୁ ୟୁନିଟେକ ବିଦେଶର ଟାକ୍ସ ହେଭେନକୁ ପଠାଇ ଦେଇଛି। ୨୯,୮୦୦ ଗ୍ରାହକ ଘର କିଣିବା ଲାଗି ୟୁନିଟେକରେ ୧୪,୨୭୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ୭୪ ହାଉସିଂ ପ୍ରକଳ୍ପ ଶେଷ କରିବା ଲାଗି ଏହା ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକରୁ ୧୮୦୫.୮୬ କୋଟି ଟଙ୍କା ଋଣ ନେଇଛି। ୟୁନିଟେକ ଏବଂ ଏହାର ସହାୟକ କମ୍ପାନୀଗୁଡିକର ଯାଞ୍ଚ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଘର କ୍ରେତାଙ୍କ ୪୦% ଅର୍ଥ ବା ୫୦୬୩ କୋଟି ଟଙ୍କା ଘର ତିଆରିରେ ଲାଗି ନାହିଁ। ସେହିଭଳି ୨୩୮୯ କୋଟି ଟଙ୍କା କେଉଁ ଆଡେ ଯାଇଛି ତାର ପତ୍ତା ଲଗାଇବା ଏବେ ମଧ୍ୟ ବାକି ରହିଛି। ସେହିଭଳି ବିତ୍ତ ପ୍ରତିଷ୍ଠାନଗୁଡିକର ୪୦% ବା ୭୬୩ କୋଟି ଟଙ୍କା ପ୍ରକଳ୍ପ କାମରେ ଲାଗି ନାହିଁ। ଅଡିଟର ୫୧ ପ୍ରକଳ୍ପର ଅଡିଟ କରି ଏହି ରିପୋର୍ଟ ଦେଇଛନ୍ତି। ବାକି ୨୩ ପ୍ରକଳ୍ପର ଅଡିଟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ।

Share