ଗ୍ୟାଷ୍ଟ୍ରିକ୍‌ରୁ ଆରୋଗ୍ୟ ପାଇଁ ଔଷଧ ସେବନ କରୁଛନ୍ତି କି: ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ପେଟର ବହୁ ପ୍ରକାରର ସମସ୍ୟା ଭିତରୁ ଗ୍ୟାସ୍‌ ସମସ୍ୟା ଅନ୍ୟତମ। ଆଜିକାଲି ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁ ପ୍ରାୟ ଲୋକଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦେଖାଦେଇଥାଏ। ଏହା ଏବେ ସାଧାରଣ ସମସ୍ୟା ପାଲଟିଛି। ଅତ୍ୟଧିକ ଭୋଜନ କରିବା, ବହୁ ବିଳମ୍ବ ପର୍ଯ୍ୟନ୍ତ ଭୋକରେ ରହିବା, ରାଗ ବା ଖଟାଜାତୀୟ ଖାଦ୍ୟ, ଗରିଷ୍ଠ ଖାଦ୍ୟ, ଖାଦ୍ୟକୁ ଠିକ୍‌ ଭାବେ ଚୋବାଇ ନ ଖାଇବା ଏବଂ ଅଧିକ ନିଶାସେବନ କରିବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିସହ ଅତ୍ୟଧିକ ମାତ୍ରାରେ ଔଷଧ ସେବନ କରିବା ଯୋଗୁଁ ମଧ୍ୟ ଏସିଡିଟି ଓ ଗ୍ୟାସ୍‌ ସମସ୍ୟା ଦେଖାଦେଇଥାଏ। ଅନେକ ସମୟରେ ଅତ୍ୟଧିକ ଗ୍ୟାସ ହୋଇଯିବାରୁ ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥାଏ। ବହୁ ଲୋକ ଏହି ସମସ୍ୟାକୁ ରୋଗ ନ ଭାବି ବଜାରରେ ମିଳୁଥିବା ଗ୍ୟାଷ୍ଟ୍ରିକ୍‌ ବଟିକା ଖାଇଥା’ନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା ଜାଣି ନ ଥାଆନ୍ତି।

ଏହି ଔଷଧ କିଡ୍‌ନୀ ଉପରେ ପ୍ରଭାବ ପକାଇବା ସହ ଏହାର ବହୁଳ ବ୍ୟବହାର ଯୋଗୁ କିଡ୍‌ନୀ ଖରାପ ହେବାର ସମ୍ଭାବନା ରହିଥାଏ। ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍‌ସିଓ) ପକ୍ଷରୁ ସମସ୍ତ ରାଜ୍ୟର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏଥିରେ ଗ୍ୟାଷ୍ଟ୍ରିକ ଔଷଧ ତିଆରି କରୁଥିବା କମ୍ପାନୀକୁ ଏକ ବୈଧାନିକ ସଚେତନତା ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ବ୍ୟବହାର ଦ୍ୱାରା କିଡ୍‌ନୀ ଉପରେ ପ୍ରଭାବ ପଡ଼ିବ ବୋଲି ଔଷଧ ରେପର ଉପରେ ଲେଖିବାକୁ କମ୍ପାନୀକୁ ପରାମର୍ଶ ଦିଆଯାଇଛି। ଏଭଳି କରିବା ପଛରେ ଏକ କାରଣ ରହିଛି। ଏହାଦ୍ୱାରା ଲୋକେ ସଚେତନ ହେବା ସହ ବିନା ଡାକ୍ତରଙ୍କ ପରାମର୍ଶରେ ବଜାରରେ ମିଳୁଥିବା କୌଣସି ଔଷଧ ସେବନ କରିବେ ନାହିଁ। ଫଳରେ ଔଷଧରେ ଥିବା ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ପ୍ରଭାବ ପକାଇବ ନାହିଁ।