ଗ୍ୟାରେଜ୍‌ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ

ଫୁଲନଖରା,୨୧।୯(ଡି.ଏନ୍‌.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍‌ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋପାଳପୁର ଢିହସାହିର ମୀନକେତନ ଶତପଥୀ(୨୬), ବିଶାଲ ରାଉତ(୨୧) ଓ ବାଲିକୁଦା କୈବର୍ତ୍ତ୍ୟସାହିର ଶିବ ବେହେରା(୨୫)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଇଲେକ୍ଟ୍ରି ପମ୍ପସେଟ୍‌, ଏକ ଓ୍ବାଟର କିରୋସିନ ପମ୍ପସେଟ୍‌, ୧ ଆଇରନ, ଓ୍ବେଲ୍‌ଡିଂ ମେଶିନ, ପ୍ଲାଇ କଟର ମେଶିନ ଓ ଅନ୍ୟ ୩ଟି କଟର ମେଶିନ ଜବତ କରିଛି। ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ କେସ୍‌ ନଂ. ୪୦୬/୧୯ରେ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, କନ୍ଦରପୁର ଥାନା ଅଞ୍ଚଳର ବିଦ୍ୟାଧର ଖଟୁଆ ଗୋପାଳପୁର ଜାଗୁଳାଇ ସାହିରେ ଏକ ଗ୍ୟାରେଜ କରିଥିଲେ। ବିଶ୍ୱକର୍ମା ପୂଜା ଦିନ ଗ୍ୟାରେଜରେ ପୂଜାସାରି ଖଟୁଆ ଚାବି ପକାଇ ଘରକୁ ଯାଇଥିଲେ। ପରଦିନ ସେ ଦୋକାନ ଆସିବା ପରେ ଗ୍ୟାରେଜରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା।