Categories: ବାଣିଜ୍ୟ

ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା: ୫ ସ୍ଥାନ ଫାଇଦା ସହ ୫୨ରେ ଭାରତ

ନୂଆଦିଲ୍ଲୀ,୨୫-୭: ଏନ୍‌ଡିଏ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ(ଜିଆଇଆଇ) ତାଲିକାରେ ଭାରତର ସ୍ଥାନରେ କ୍ରମାଗତ ସୁଧାର ହେଉଛି। ୨୦୧୫ରେ ୮୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶ ପାଇଥିବା ଜିଆଇଆଇ ତାଲିକାରେ ୫ ସ୍ଥାନ ଉପରକୁ ଉଠିଆସିଛି। ଗତବର୍ଷ ୫୭ ତମ ସ୍ଥାନରେ ରହିଥିବା ଭାରତ ଚଳିତବର୍ଷ ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଏହି ଇଣ୍ଡେକ୍ସ ତାଲିକାକୁ ପ୍ରକାଶ କରିଛନ୍ତି। ପ୍ରଥମଥର କୌଣସି ବିକାଶଶୀଳ ଦେଶରେ ଏହି ଇଣ୍ଡେକ୍ସକୁ ଜାରି କରାଯିବା ବିଶେଷ ପ୍ରଣିଧାନଯୋଗ୍ୟ। ଏଠାରେ ପ୍ରକାଶ କରାଯାଇପାରେ ଯେ, ଗତ ୧୨ ବର୍ଷ ଧରି ଜିଆଇଆଇ ପ୍ରକାଶ ପାଇ ଆସୁଛି। ଏହାକୁ ଇନସିଡ୍‌, କର୍ନଲ ୟୁନିଭର୍ସିଟି ଏବଂ ଓ୍ବଲର୍‌ଡ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅର୍ଗାନାଇଜେଶନ ଏବଂ ଜିଆଇଆଇ ନଲେଜ ପାର୍ଟନର୍ସ ଦ୍ୱାରା ଯୁଗ୍ମ ଭାବେ ପ୍ରକାଶ କରାଯାଉଛି। ୨୦୧୫ରେ ଭାରତର ସ୍ଥାନ ୮୧ରେ ଥିଲା ବେଳେ ୨୦୧୬ରେ ଏଥିରେ ଅନେକ ସୁଧାର ଆସିଥିଲା ଓ ଏହା ୬୬ତମ ସ୍ଥାନରେ ରହିଥିଲା। ୨୦୧୭ରେ ୬୦, ୨୦୧୮ରେ ୫୭ତମ ସ୍ଥାନରେ ରହିଥିବା ଭାରତର ର଼୍ୟାଙ୍କିଙ୍ଗରେ ସୁଧାର ଦେଶବାସୀଙ୍କୁ ଗୌରବାନ୍ବିତ କରିବ ନିଶ୍ଚୟ। ୮୦ ପଏଣ୍ଟ ଆଧାରରେ ୧୨୯ ଦେଶର ଆକଳନ କରାଯାଇ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା ପ୍ରକାଶ କରାଯାଇଥାଏ। ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଇନୋଭେଶନ ମାଧ୍ୟମରେ ଏଣ୍ଟରପ୍ରିନ୍ବୟରଙ୍କୁ ସହଯୋଗ କରିବା ସରକାରଙ୍କ ୨୦୨୨ ନ୍ୟୁ ଇଣ୍ଡିଆର ଭିଜନ ରହିଛି। ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସରେ ଭାରତର କ୍ରମାଗତ ଉନ୍ନତି ଦେଶର ଏଣ୍ଟରପ୍ରିନ୍ବୟରଙ୍କ ଦକ୍ଷତା ପ୍ରତିପାଦିତ କରୁଛି। ଶୀର୍ଷ ୨୫ ଦେଶ ଭିତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସରକାର ନିଜ କାର୍ଯ୍ୟକୁ ଆଗେଇ ନେବେ ବୋଲି ଗୋୟଲ ଦୃଢ଼ୋକ୍ତି କରିଛନ୍ତି। ସୁଇଜରଲାଣ୍ଡ ଏହି ଇଣ୍ଡେକ୍ସ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଶୀର୍ଷ ୧୦ରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ସୁଇଡେନ,ଆମେରିକା, ନେଦରଲାଣ୍ଡ, ବ୍ରିଟେନ, ଫିନ୍‌ଲାଣ୍ଡ, ଡେନମାର୍କ, ସିଙ୍ଗାପୁର, ଜର୍ମାନୀ ଓ ଇସ୍ରାଏଲ।

Share