Categories: ବାଣିଜ୍ୟ

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ ଜି) ୨୫୦ କୋଟି ଟଙ୍କା ଚଳୁ କରିଦେଇଛି ବୋଲି ଜିଏସ୍‌ଟି ଲାଭ ଯାଞ୍ଚ କରୁଥିବା ଏଜେନ୍ସି ଧରିଛି। ଆର୍ଥିକ ବ୍ୟାପାର ଷ୍ଟାଣ୍ଡିଂ କମିଟି ନିକଟରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ ଆସିବା ପରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଆଣ୍ଟି ପ୍ରଫିଟିୟରିଂ(ଡିଜିଏପି) ପି ଆଣ୍ଡ ଜିର ୨୦୧୭ ନଭେମ୍ବର ୧୫ ପୂର୍ବ ଏବଂ ପର ଆକାଉଣ୍ଟ ଯାଞ୍ଚ ଆରମ୍ଭ କରିଥିଲା। ଜିଏସ୍‌ଟି କାଉନସିଲର ନିଷ୍ପତ୍ତି ସତ୍ତ୍ୱେ ଏହି କଞ୍ଜ୍ୟୁମର ଗୁଡ୍ସ ମାନୁଫାକଚରିଂ କମ୍ପାନୀ କେତେକ ସାମଗ୍ରୀର ଦରକୁ ୨୮ରୁ ୧୮%କୁ ହ୍ରାସ କରି ନଥିଲା ବୋଲି ଜଣାପଡିଛି। ଡିଜିଏପି ରିପୋର୍ଟରେ ପି ଆଣ୍ଡ ଜି ୨୫୦ କୋଟି ଟଙ୍କା ଫାଇଦା ପାଇଛି ବୋଲି ଦର୍ଶାଯାଇଛି।  କମ୍ପାନୀର ମତାମତ ନେବା ପରେ ନ୍ୟାଶନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି(ଏନ୍‌ଏଏ) ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ରାୟ ଶୁଣାଇବେ। ସୂଚନାଥାଉ କି, ପି ଆଣ୍ଡ ଜି ଓ୍ବାଶିଂ ପାଉଡର, ଶାମ୍ପୁ, ଟୁଥ୍‌ବ୍ରଶ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନିର୍ମାଣ କରିଥାଏ। ଜିଏସ୍‌ଟି କାଉନସିଲ  ୨୦୧୭ ନଭେମ୍ବର ୧୫ରେ ବୈଠକରେ ବସି ୧୭୮ ସାମଗ୍ରୀର ଜିଏସ୍‌ଟି ଦର ହ୍ରାସ କରିଥିଲେ। ଓ୍ବାଶିଂ ପାଉଡର, ଶାମ୍ପୁ ଏବଂ ଦାନ୍ତ ସମ୍ପର୍କିତ ବିଭିନ୍ନ ସାମଗ୍ରୀର ଜିଏସ୍‌ଟି ହାରକୁ ୨୮ରୁ ୧୮ ପ୍ରତିଶତକୁ ହ୍ରାସ ଘୋଷଣା କରାଯାଇଥିଲା।

Share