Categories: ବାଣିଜ୍ୟ

ଗ୍ରାମାଞ୍ଚଳ ଏଫ୍‌ଏମ୍‌ସିଜି ଅଭିବୃଦ୍ଧି ୫%କୁ ହ୍ରାସ

ନୂଆଦିଲ୍ଲୀ,୧୯-୧୦: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଗ୍ରାମାଞ୍ଚଳରେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ (ଏଫ୍‌ଏମ୍‌ସିଜି) ଅଭିବୃଦ୍ଧି ୫%କୁ ହ୍ରାସ ଘଟିଛି। ସହରାଞ୍ଚଳ ଅଭିବୃଦ୍ଧି ତୁଳନାରେ ପ୍ରଥମଥର ଗ୍ରାମାଞ୍ଚଳରେ ଅଭିବୃଦ୍ଧି କମିଛି। ଗତ ୭ ବର୍ଷରେ ପ୍ରଥମଥର ଲାଗି ଏଭଳି ହୋଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ଗ୍ରାମାଞ୍ଚଳରେ ଉକ୍ତ ବର୍ଗରେ ଅଭିବୃଦ୍ଧି ୨୦% ରହିଥିଲା। ମୋଟ ଏଫ୍‌ଏମ୍‌ସିଜି ମାନ୍ଦାବସ୍ଥାର ଏହା ୬୦% ବୋଲି ନିଲସେନ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ମୋଟ ଏଫ୍‌ଏମ୍‌ସିଜି କ୍ଷେତ୍ରର ଅଭିବୃଦ୍ଧି ୭.୩%କୁ ଖସିଛି। ଏହା ପୂର୍ବରୁ ୧୬.୨% ରହିଥିଲା ବୋଲି ନିଲସେନ୍‌ ଦକ୍ଷିଣ ଏସିଆର ମୁଖ୍ୟ ସୁନୀଲ ଖିଆନୀ କହିଛନ୍ତି। ସେହିଭଳି ଚାହିଦା ୧୩%ରୁ ୩.୯%କୁ ଖସିଛି। ମାନ୍ଦାବସ୍ଥା କ୍ଷୁଦ୍ର ମାନୁଫାକଚରରଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି। ନିମ୍ନ ଭଲ୍ୟୁମ କ୍ଷେତ୍ରରେ କାମ କରୁଥିଲେ ମଧ୍ୟ ଏହାକୁ ବଜାୟ ରଖିବା ଲାଗି ସେମାନେ ସଂଘର୍ଷ କରୁଛନ୍ତି। ଏହା ଦ୍ୱାରା ବାଣିଜ୍ୟ ଏବଂ ମୂଲ୍ୟ ପ୍ରଭାବିତ ହେଉଥିବାରୁ ସେମାନେ ସମ୍ପ୍ରସାରଣ ଲାଗି ଅସୁବିଧା ସାମ୍ନା କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବଜାର ଚାହିଦାରେ ପରିବର୍ତ୍ତନ ୨୦୨୦ ପ୍ରଥମ ତ୍ରୈମାସରେ ଫେରିବା ନେଇ ନିଲସେନ ଆଶାବାଦୀ ରହିଛି।

Share