Categories: ବାଣିଜ୍ୟ

ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ନେଇ ସରକାରଙ୍କ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧-୧୧: ଚୋରା ସୁନା ଉପରେ କାର୍ଯ୍ୟାନଷ୍ଠାନ ଅନ୍ତର୍ଗତ ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ଆଣିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଭଳି ଏକ ସ୍କିମଖ ଆସିବ ବୋଲି ବୁଧବାର ଗଣମାଧ୍ୟମରେ ଏକ ରିପୋର୍ଟ ଆସିବା ପରେ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଲୋକମାନେ ସେମାନଙ୍କ ଚୋରା ସୁନାକୁ ଏହି ସ୍କିମରେ ଘୋଷଣା କରିବା ସହ କିଛି ଟିକସ ଦେଇ ଏହାକୁ ଧଳା କରିପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଆୟକର ବିଭାଗ ପକ୍ଷରୁ ଏଭଳି କୌଣସି ସ୍କିମ ଆଣିବାକୁ ପ୍ରସ୍ତାବ ନ ଥିବା କୁହାଯାଇଛି। ବଜେଟ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିଭିନ୍ନ କଳ୍ପନାତ୍ମକ ରିପୋର୍ଟ ଆସିଥାଏ ବୋଲି କୁହାଯାଇଛି। ୨୦୧୭ରେ ଆସିଥିବା ଆୟ ଘୋଷଣା ଯୋଜନା-୨ ଏତେଟା ସଫଳ ହୋଇନ ଥିବାରୁ ନୂଆ ସ୍କିମକୁ ସଫଳ କରାଇବା ନେଇ ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବିନା ରସିଦରେ ସୁନା କ୍ରୟ କିମ୍ବା କଳାଟଙ୍କା ଛପାଇବା ଲାଗି ସୁନା କ୍ରୟରେ ଟିକସ ଦେଇ ଏହାକୁ ଲୋକମାନେ ଧଳାରେ ରୂପାନ୍ତରିତ କରିବା ନେଇ ଖବର ପ୍ରକାଶ ପାଇଥିଲା। ସୂଚନା ଯୋଗ୍ୟ ଦେଶ ମଧ୍ୟରେ ୨୦,୦୦୦ ଟନ୍‌ ସୁନା ପଡି ରହିଛି। ସେହିଭଳି ବେଆଇନ ଆମଦାନୀ, ପୂର୍ବପୁରୁଷଙ୍କ ହୋଲଡିଂକୁ ବିଚାର କଲେ ଏହା ୨୫ରୁ ୩୦ ହଜାର ଟନ୍‌ ହେବ।

Share