ଗୋବିନ୍ଦପୁର ସୂତାକଳ ଭୂତକୋଠି

ଢେଙ୍କାନାଳ ଅଫିସ, ୨୨।୬:  ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ୧୮ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପରିଚାଳନା ଅଭାବରୁ ଏହା ଏବେ ଭୂତକୋଠିରେ ପରିଣତ ହୋଇଛି। ଶିଳ୍ପସମୃଦ୍ଧ ଜିଲାରେ ଗୋଟିଏ ପରେ ଗୋଟିଏ କଳକାରଖାନା ରୁଗ୍‌ଣ ହୋଇପଡୁଥିବାବେଳେ ଏହାକୁ ପୁନରୁଦ୍ଧାର କରିବାକୁ ଦାବି କରିଛି ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌। ଏ ନେଇ ଫୋରମ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
୫୨ ଏକର ପରିମିତ ଜମିରେ ୧୯୭୯ରେ ଏହି ସୂତାକଳ ପ୍ରତିଷ୍ଠା ହୋଇଥିଲା। ଏହା ଉପରେ ଆଖପାଖ ଅଞ୍ଚଳର ବହୁ ବୁଣାକାର ନିର୍ଭର କରୁଥିଲେ। ୧୯୯୨ ଯାଏ ଏହା ସ୍ବାଭାବିକ ଭାବେ ଚାଲୁଥିଲା। ପରବର୍ତ୍ତୀ ସମୟରେ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଲା। ୨୦୦୨ ବେଳକୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ପରିଚାଳନାଗତ ତ୍ରୁଟି ପାଇଁ ସୂତାଳକର ବିଭିନ୍ନ ପ୍ରକୋଷ୍ଠ, ଗୋଦାମ, ଯନ୍ତ୍ରାଂଶ ନଷ୍ଟ ହୋଇଗଲାଣି। ଏହାର ପୁନରୁଦ୍ଧାର କରାଗଲେ ଜିଲାର କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନେ କର୍ମସଂସ୍ଥାନ ପାଇପାରିବେ ବୋଲି ଫୋରମ୍‌ ସଭାପତି ପ୍ରଦ୍ୟୁମ୍ନ ରଥ, ଭୁବନେଶ୍ୱରସ୍ଥିତ ଢେଙ୍କାନାଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ରାଜନାରାୟଣ ତ୍ରିପାଠୀ, ଢେଙ୍କାନାଳ କ୍ରାନ୍ତି ସଙ୍ଗଠନ ସଭାପତି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତି। ଏମ୍‌ପି ମହେଶ ସାହୁଙ୍କ ଜରିଆରେ ଉକ୍ତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଫୋରମ୍‌ ପକ୍ଷରୁ ସୂଚନା ଦିଆଯାଇଛି।