ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ରୂପ୍‌ସା, ୩୦।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଞ୍ଚଳରେ ବୁଧବାର ରାତିରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜବେଷ୍ଟସ ଛପର ଭାଙ୍ଗି ଦୁର୍ବୃତ୍ତମାନେ ଗୋଟିଏ ରାତିରେ ୭ଟି ଦୋକାନରୁ ଚୋରି କରିବା ଘଟଣା ପୋଲିସ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଷ୍ଟେଶନ ବଜାରରେ ଥିବା ଅରୁଣ ବେହେରା ଓ ବସନ୍ତ ପଟ୍ଟନାୟକଙ୍କ ଗ୍ରୋସରୀ ଦୋକାନ, ବଂଶୀଧର ପ୍ରଧାନଙ୍କ ମେଡ଼ିସିନ ଷ୍ଟୋର, ଦୀପକ ଦାସଙ୍କ ଜୋତା ଦୋକାନ ଓ କାର୍ତ୍ତିକ ପଣ୍ଡାଙ୍କ ପାନ ଦୋକାନରୁ ନଗଦ ୫ହଜାର ଟଙ୍କା ସମେତ ବହୁ ଦୋକାନ ସାମଗ୍ରୀ ଚୋରି ହୋଇଛି। ସେହିପରି ଡାକବଙ୍ଗଳା ନିକଟସ୍ଥ ବାବୁଲା ସାହୁଙ୍କ ଗ୍ରୋସରୀ ଦୋକାନରୁ ୧୫ହଜାର ଟଙ୍କାର କିଛି ସାମଗ୍ରୀ ଓ ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପଦ୍ମଲୋଚନ ଦଳେଇଙ୍କ ବହି ଦୋକାନରୁ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରି ଚମ୍ପଟ ମାରିଥିଲେ। ଖବରପାଇ ଥାନାଧିକାରୀ ଅଜୟ କୁମାର ମୁର୍ମୁ ଗୁରୁବାର ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ପାଟପୁର ବଜାର ଓ ଷ୍ଟେଶନ ବଜାରରେ ବାରମ୍ବାର ଚୋରି ହୋଇଥିଲେ ହେଁ ପୋଲିସର ଢ଼ିଲା ପାଟ୍ରୋଲିଂ ବ୍ୟବସ୍ଥା ଯୋଗୁ ଏହାର ପୁନରାବୃତ୍ତି ଘଟୁଥିବା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପୋଲିସ ପକ୍ଷରୁ ଛାନଭିନ୍‌ ଆରମ୍ଭ ହୋଇଛି।