ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ ବାସକରୁଥିବା ବହୁ ଲୋକଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନେ ଦୀର୍ଘଦିନ ଧରି ଲିଭ୍‌ଇନ୍‌ରେ ରହିଥାନ୍ତି। ଲିଭ୍‌ଇନ୍‌ ସମ୍ପର୍କ ମଧ୍ୟରେ ବେଳେବେଳେ ସେମାନଙ୍କ ଝିଅପୁଅଙ୍କ ମଧ୍ୟ ବିବାହ ହୋଇଯାଇଥାଏ। ତେବେ ମାତାପିତା ସେହିଭରି ରହିଯାଇଥାନ୍ତି। ତେବେ ସରକାର ତଥା କିଛି ସ୍ବଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇ ଲିଭ୍‌ଇନ୍‌ରେ ରହୁଥିବା ଏଭଳି ଲୋକଙ୍କ ବିବାହ କରାଯାଉଛି। ରବିବାର ହୋଇଥିବା ସାମୁହିକ ବିବାହ ଉତ୍ସବରେ କାଙ୍କେ ଅଞ୍ଚଳର ସାଙ୍ଗା ଗାଁର ବାସିନ୍ଦା ୫୦ ବର୍ଷ ବୟସ୍କା କଳାବତୀ ଏବଂ ତାଙ୍କ ଝିଅଙ୍କର ମଧ୍ୟ ବିବାହ ହୋଇଛି। ଏକାସାଥିରେ ଗୋଟିଏ ଦିନରେ କଳାବତୀ ଏବଂ ତାଙ୍କ ଝିଅଙ୍କ ବିବାହ ନେଇ ଏଠାରେ ଚର୍ଚ୍ଚା ଜାରି ରହିଛି।

Share