Categories: ଜାତୀୟ

ଗୋଟିଏ ପିଆଜର ଦାମ୍‌ ୬୦ଟଙ୍କା: କିଣିବାକୁ ଗ୍ରାହକ ଆଗ୍ରହୀ

ସିରସା,୧୪।୧୨: ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଆଜ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଏହାର ବର୍ଦ୍ଧିତ ମୂଲ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ କିନ୍ତୁ ହରିୟାଣାର ସିରସାରେ ବିକ୍ରି ହେଉଥିବା ଏକ ନିଆରା ପିଆଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାରେ ଏବେ ପିଆଜ କିଲୋ ପ୍ରତି ଦାମ୍‌ ୮୦ରୁ ୧୦୦ଟଙ୍କା ଥିବା ବେଳେ ଏବେ ପରିବା ବଜାରକୁ ଆସିଥିବା ଏକ ନିଆରା ପିଆଜ ଗୋଟିଏର ଦାମ୍‌ ୫୫ରୁ ୬୦ ଟଙ୍କାରେ ମିଳୁଛି। ତେବେ ଏହି ଗୋଟିଏ ପିଆଜର ଓଜନ ୬୦୦ରୁ ୭୦୦ ଗ୍ରାମ ରହିଛି।

ଆକାର ବଡ ଓ ଓଜନ ଅଧିକ ହୋଇଥିବାରୁ ଏକ କିଲୋରେ ଗୋଟିଏ ବା ଦୁଇଟି ପିଆଜ ଆସୁଛି। ଏହାସହ ଏହି ପିଆଜର ଦାମ୍‌ ଅନ୍ୟ ପିଆଜ ଅପେକ୍ଷା କିଲୋ ପ୍ରତି ୧୦ଟଙ୍କା କମ୍‌ ରହିଛି ବୋଲି କୁହାଯାଉଛି। ତୁର୍କିରୁ ଆସିଥିବା ଏହି ପିଆଜ ଗ୍ରାହକଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି। ଲାଲ ପିଆଜର ଦାମ ଅପେକ୍ଷା ଏହାର ଦାମ୍‌ ୧୦ ଟଙ୍କା କମ୍‌ ରହିଛି। ପ୍ରାୟ ୨ ଦିନ ହେବ ଏହା ବଜାରକୁ ଆସିଥିବା ବେଳେ ଲୋକେ ଏହାକୁ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ହୋଟେଲ ଓ ରେସ୍ତୋରାଁରେ ଏବେ ଏହି ପିଆଜର ଚାହିଦା ବଢିଥିବା ଜଣାପଡିଛି।

Share