ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର ପସନ୍ଦ ନୁହେଁ ବୋଲି କହିଛନ୍ତି। ଏଥିଲାଗି ମୁଁ ଟିଭି ଛାଡ଼ିଲି ବୋଲି ସେ ପ୍ରକାଶ କରିଛନ୍ତି। ଟିଭି କାର୍ଯ୍ୟକ୍ରମରେ ମୋତେ ପ୍ରଚୁର ଅର୍ଥ ମିଳୁଥିଲା ସତ, ହେଲେ ମୋତେ ଭଲ ଚରିତ୍ର ମିଳୁ ନ ଥିଲା। ବାରମ୍ବାର ଗୋଟିଏ ଚରିତ୍ର ମୋତେ ଦିଆଯିବା ବିବେକକୁ ବାଧିଥିଲା। ଟିଭି ମୋତେ ପରିଚୟ ଦେଇଛି, ଏକଥା ଠିକ୍‌। ଏଥିଲାଗି ଫିଲ୍ମରେ ମୁଁ ଡେବ୍ୟୁ କରିବାରେ ସଫଳ ହୋଇଛି। ଏବେ ମୁଁ ଅଧିକରୁ ଅଧିକ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛି ବୋଲି ନୀରୁ ପ୍ରକାଶ କରିଛନ୍ତି।
ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦବ୍‌ଦବା ଜାରି ରଖିଥିବା ଏହି ୩୮ ବର୍ଷୀୟା ନୀରୁ ବଲିଉଡ୍‌ରେ ଅଭିନୟ କରିବାକୁ ମନା କରିନାହାନ୍ତି। କିନ୍ତୁ ତାଙ୍କ ପସନ୍ଦର ଚରିତ୍ର, ସ୍କ୍ରିପ୍ଟ ହେବା ଜରୁରୀ ବୋଲି କହିଛନ୍ତି। ଭଲ ଫିଲ୍ମ ପାଇଲେ, କେବେ ମନା କରିବିନି ବୋଲି ସେ ପ୍ରକାଶ କରିଛନ୍ତି। ଦୁଇ ଦଶନ୍ଧି ଧରି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ରହି ବହୁ ଶିକ୍ଷାଲାଭ କରିଛି। ମୋତେ ଦେଖିବାକୁ ଦର୍ଶକ ଚାହାନ୍ତି, ହେଲେ ପଞ୍ଜାବୀ ଫିଲ୍ମ ଭଳି ମୋତେ ବଲିଉଡ୍‌ରେ ଭଲ ଚରିତ୍ର ଓ ସ୍କ୍ରିପ୍ଟ ମିଳିବା ଦରକାର ବୋଲି ସେ କହିଛନ୍ତି। ଏବେ ନୀରୁ ଅଭିନୀତ ତଥା ଜଗଦୀପ ସିଧୁ ନିର୍ଦ୍ଦେଶିତ ଫିଲ୍ମ ‘ସାଦା’ ଲୋକଙ୍କ ମନକୁ ଛୁଇଁଛି। ଏଭଳି ଭଲ ଚରିତ୍ର ମିଳିଲେ ମୋର ଅଭିନୟ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Share