‘ଗୁପ୍ତ ସମ୍ପର୍କ’ର ଶ୍ରୀୟା

ଦୁଇବର୍ଷ ତଳେ ଓଡ଼ିଆ ଯାତ୍ରାଜଗତକୁ ଆସିଥିଲା ଗୋଟିଏ ନାଟକ ‘ଗୁପ୍ତ ସମ୍ପର୍କ’। ଏହି ନାଟକକୁ ନବଘନ ରାଉଳ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ତାପସ ସ୍ବାଇଁ। ନାଟକଟିକୁ ସାରା ଓଡ଼ିଶାର ଦର୍ଶକ ଗ୍ରହଣ କରିଥିଲେ। ନାଟକଟିର ସଫଳତା ଦୁଇବର୍ଷ ପରେ ମଧ୍ୟ ବଳବତ୍ତର ରହିଛି। ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ ଚଳିତବର୍ଷ ମଧ୍ୟ ଏହି ନାଟକ ପରିବେଷଣ କରି ବିଗତ ବର୍ଷଗୁଡ଼ିକର ଲୋକପ୍ରିୟତା ସାଉଣ୍ଟିବାରେ ସଫଳ ହେଉଛିି। ତେବେ ଏଥିରେ କଳାକାର ପରିବର୍ତ୍ତନ ହୋଇ ସାରିଛନ୍ତି। ନାଟକର ଏକ ପ୍ରମୁଖ ଚରିତ୍ର ହେଉଛି ଶ୍ରୀୟା। ଏହି ଭୂମିକାରେ ବର୍ତ୍ତମାନ ଅଭିନୟ କରୁଛନ୍ତି ଅଭିନେତ୍ରୀ ଚିନ୍ମୟୀ ପଣ୍ଡା। ଚିନ୍ମୟୀ କହନ୍ତି, ଚରିତ୍ରଟି ଖୁବ୍‌ ସୁନ୍ଦର। ଏଥିରେ ଅଭିନୟକରି ସେ ଖୁବ୍‌ ଖୁସି ଅନୁଭବ କରୁଛନ୍ତି। ତାଙ୍କର ଜଣେ ବାନ୍ଧବୀ କିଭଳି ତାଙ୍କ ସହିତ ଅପ୍ରାକୃତିକ ପ୍ରେମ ସମ୍ବନ୍ଧ ରଖିବାକୁ ଚାହୁଁଛି ଆଉ ସମ୍ପର୍କ ରଖିବାରେ ବିଫଳ ହୋଇ କିଭଳି ତାକୁ ଦୁଃଖ କଷ୍ଟ ଦେଉଛି – ଏପରିକି ତାକୁ ମାନସିକ ରୋଗୀରେ ପରିଣତ କରିଦେଉଛି ତାହାକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚରିତ୍ର। ଏଥିରେ ତାଙ୍କୁ ଅଭିନୟ କରିବା ପାଇଁ ଭରପୂର ସୁଯୋଗ ରହିଛି। ଚଳିତ ବର୍ଷ ‘ବିଶ୍ୱ ଦରବାର’ରେ ଚିନ୍ମୟୀ ଅଭିନୟ କରିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତୁମ କଥା ଭାରି ମନେପଡୁଛି ଏବଂ ଚଉଠି ରାତିର ଚଉଦ କଥା।

ପିଲାଟି ବେଳୁ ଅଭିନୟ ଆଡ଼କୁ ଆକୃଷ୍ଟ ହୋଇଥିଲେ ଚିନ୍ମୟୀ। ଯାତ୍ରା ଅନୁଷ୍ଠାନ ‘ଦର୍ଶକ ମହଲ’ରେ ସେ ପ୍ରକ୍ସି-ନାୟିକା ଭାବରେ ନାୟିକା ମନ୍ଦାକିନୀଙ୍କ ସ୍ଥାନରେ ଯୋଗଦେଇ ତାଙ୍କର ଯାତ୍ରା କ୍ୟାରିଅର ଆରମ୍ଭ କରିଥିଲେ। ପରେ ପରେ ଆସିଲେ ‘ରଙ୍ଗମହଲ’ ଏବଂ ‘ଗୌରୀ ଗଣନାଟ୍ୟ’କୁ। ଚଳିତ ବର୍ଷ ସେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ରେ। ଏତଦ୍‌ବ୍ୟତୀତ ସେ କିଛିଦିନ ‘ଯାତ୍ରା ଭବାନୀ’ରେ ମଧ୍ୟ ଅଭିନୟ କରିଥିଲେ। ଚିନ୍ମୟୀଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ନ ଦିନ ପାଇଁ ନବକଳେବର’, ‘ମୁଁ ଈଶ୍ୱର ବେହେରା ଝିଅ’, ‘ମା’ଲୋ କଲିକତିଆ ବୋହୂ’, ‘ଦେଖିଲେ ଜାଣିବ ଦରଦ କେତେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ଛ’ଣା ପୁରୁଷ ଦଶଣା ନାରୀ, ‘ଅନ୍ଧଦର୍ଶକ’, ‘ସଂସାରକୁ ମୋତେ ଡର ଲାଗୁଛି’ ଏବଂ ଆହୁରି ଅନେକ।

Share