ଗୁଣ୍ଠାଓ୍ବାର୍ଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କ ସନ୍ତାନ ପ୍ରସବ

ଚିତ୍ରକୋଣ୍ଡା,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାର୍ଡl କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ତାଙ୍କ ଘର ଗୁଣ୍ଠାଓ୍ବାର୍ଡା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମରେ।
ସୂଚନାଯୋ୍ୟ, କନ୍ଧଗୁଡ଼ା ଗ୍ରାମର ସୁଧୀର ଖରାଙ୍କ ସ୍ତ୍ରୀ ଲଚମି ଖରାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଖବର ପାଇ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତଙ୍କ ନେତୃତ୍ୱରେ ତତ୍‌କ୍ଷଣାତ ଆମ୍ବୁଲାନ୍ସ ପଠାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ସୁରକ୍ଷିତ ଭାବରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମା’ ଓ ପିଲା ଭଲ ଅଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟ ଅଣାଯାଇ ସ୍ବତନ୍ତ୍ର ମେଡିକାଲ ରୁମ୍‌ରେ ରଖାଯାଇଛି। ଏହି ଖବର ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲ ଜାଣିବା ପରେ ଅନ୍ତେବାସୀଙ୍କୁ ରେଡ୍‌କ୍ରସ ପକ୍ଷରୁ ୫ ହଜାର ଟଙ୍କା ଚିତ୍ରକୋଣ୍ଡା ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରିବା ସହିତ ଚିତ୍ରକୋଣ୍ଡା ବିଡିଓ ମା’ ଓ ପିଲା ପାଇଁ ଡ୍ରେସ୍‌ ଯୋଗାଇ ଦେଇଥିଲେ। ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଶିବାଶିଷ ବିଶ୍ୱାସ ଓ ଆକାଉଣ୍ଟାଣ୍ଟ ରାଜେନ୍ଦ୍ର ଦାସ ଉପସ୍ଥିତ ଥିଲେ।