ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ରାୟଗଡ଼ା ଅଫିସ,୨୩।୨: ରାୟଗଡ଼ା ଜିଲା ସେସକାଲ ଥାନା ଅନ୍ତର୍ଗତ ବାଲାପାଡୁ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି। ସାନଭାଇ ସତ୍ୟ ମିଣିଆକା ସେସକାଲ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦେବା ପରେ ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି। ଏହା ପରେ ପରିବାରକୁ ହସ୍ତାନ୍ତର କରାଯିବ। ମୃତ ବ୍ୟକ୍ତି ଜଣକ ହେଲେ ଘାସି ମିଣିଆକା। କିଛିଦିନ ତଳେ ଉକ୍ତ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମୃତ ବୃଦ୍ଧଙ୍କ ପରିବାରର ୨ ପୁଅ ଘାସି ମିଣିଆକାଙ୍କୁ ତାଙ୍କ ବାପାଙ୍କ ରୋଗ ପାଇଁ ଦାୟୀ କରିଥିଲେ। ତାଙ୍କ ବାପାଙ୍କର ଯଦି ମୃତ୍ୟୁ ଘଟେ ତେବେ ସେ ଘାସିଙ୍କୁ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସେହି ଦୁଇଭାଇ ଘାସିଙ୍କୁ ମାରିଥିବା ତାଙ୍କ ସାନଭାଇ ସତ୍ୟ ମିଣିଆକା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘାସି ନିଜ ବିଲରେ ଥିବା କୁଡ଼ିଆରେ ଶୋଇଥିବା ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ରଡ୍‌ ଯୋଗେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଆଡ଼େ ତନାଘନା ଚଳାଇଛି।