Categories: ମେଟ୍ରୋ

ଗୁଣାତ୍ମକ ଶିକ୍ଷାଦାନରେ ଗବେଷଣା ହେଉଛି ମେରୁଦଣ୍ଡ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ପକ୍ଷରୁ ତ୍ରୟଦିବସୀୟ ଫାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବିପିୟୁଟି ଡିନ୍‌(ମ୍ୟାନେଜମେଣ୍ଟ) ପ୍ରଫେସର ଶକ୍ତି ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ବିଜ୍ଞାନର ଗବେଷଣା କ୍ଷେତ୍ରରେ ସଫ୍ଟଓ୍ବେର୍‌ ପ୍ୟାକେଜ୍‌ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହିଭଳି ଏକ ଉପାଦେୟ ତଥା ଗୁରୁତ୍ୱପୂର୍ଣ୍ଣ ସଫ୍ଟଓ୍ବେର୍‌ ପ୍ୟାକେଜ୍‌ର କର୍ମଶାଳା ସଙ୍ଗଠିତ କରାଇବାରେ ଏଏସ୍‌ବିଏମ୍‌ର ବଳିଷ୍ଠ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ସଭାପତିତ୍ୱ କରି ଏଏସ୍‌ବିଏମ୍‌ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ୍‌ ପଟ୍ଟନାୟକ ଗବେଷଣା କ୍ଷେତ୍ରରେ ଗବେଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତି କ୍ଷଣରେ ନାନାଦି ଆହ୍ବାନକୁ ସମ୍ମୁଖୀନ ହେଉଥିବାର ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ। ଏହାସହିତ ତାହାର ସରଳ ସମାଧାନର ମାର୍ଗଦର୍ଶନ କରାଇଥିଲେ। ଗୁଣାତ୍ମକ ଏବଂ ଫଳପ୍ରଦ ଶିକ୍ଷାଦାନ କ୍ଷେତ୍ରରେ ଗବେଷଣା ମେରୁଦଣ୍ଡ ସ୍ବରୂପ ବୋଲି ବର୍ଣ୍ଣନା କରିବା ସହ ଉନ୍ନତ ଗବେଷଣା ଶିକ୍ଷାୟତନରେ ପ୍ରୟୋଗାତ୍ମକ ଶିକ୍ଷାଦାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ ବୋଲି ମତ ରଖିଥିଲେ। କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଆଡ୍‌ଭୋକେଟ ଡ. ସୁଶାନ୍ତ କୁମାର କାନୁନ୍‌ଗୋ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ନିଜ ଗବେଷଣା ଜୀବନର ବହୁବିଧ ଚିତ୍ରକୁ ବର୍ଣ୍ଣନା କରିବା ସହ ଅଂଶଗ୍ରହଣକାରୀଙ୍କୁ ଅଧିକରୁ ଅଧିକ ଗବେଷଣା କ୍ଷେତ୍ରରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରିଥିଲେ। କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ଅଧ୍ୟାପିକା, ଅଧ୍ୟାପକ ଓ ଗବେଷକ ଯୋଗଦେଇଥିଲେ। ସଂଯୋଜକ ପ୍ରଫେସର ପଦ୍ମନାଭ ମହାପାତ୍ର ଓ ସହ-ସଂଯୋଜକ ପ୍ରଫେସର ପ୍ରକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।