ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ଦଳକୁ ୨୧୦ ରନର ବିଶାଳ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। କେଏଲ ରାହୁଲ (୯୨) ଏବଂ ପଥୁମ ନିସାଙ୍କା (୪୧) ଦିଲ୍ଲୀକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ଏବଂ ଡେଭିଡ ମିଲର ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ, କିନ୍ତୁ ଶେଷରେ ଗୁଜରାଟ ବିଜୟୀ ହୋଇଥିଲା। ମ୍ୟାଚ ପରେ ଗିଲ୍ଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।
ଶୁବମନଙ୍କୁ ସ୍ଲୋ ଓଭର-ରେଟ ପାଇଁ ଜରିମାନା କରାଯାଇଛି। ଆଇପିଏଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପରେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁବମନ ଗିଲ୍ଙ୍କୁ ଜରିମାନା କରାଯାଇଛି। ଏହା ଆଇପିଏଲ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ସିଜିନ୍ରେ ତାଙ୍କ ଦଳର ପ୍ରଥମ ଅପରାଧ ଥିଲା, ଯାହା ସର୍ବନିମ୍ନ ଓଭର-ରେଟ ଅପରାଧ ସହିତ ଜଡିତ।
ଯଦି ଗୁଜରାଟ ଟାଇଟାନ୍ସ ଏପରି ଭୁଲ ପୁନରାବୃତ୍ତି କରେ, ତେବେ ଅଧିନାୟକ ଗିଲଙ୍କୁ ୨୪ ଲକ୍ଷର ଜରିମାନା କରାଯିବ, ଯେତେବେଳେ ଇମ୍ପାକ୍ଟ ଖେଳାଳି ଏବଂ ପ୍ଲେଇଂ ୧୧ରେ ଥିବା ଖେଳାଳିମାନଙ୍କୁ ୧୨ ଲକ୍ଷ ଜରିମାନା କରାଯିବ। ତଥାପି, ତୃତୀୟ ଅପରାଧ ପାଇଁ ଅଧିନାୟକଙ୍କ ଉପରେ ଥିବା ଗୋଟିଏ ମ୍ୟାଚ ବାସନ୍ଦ ଏବେ ହଟାଇ ଦିଆଯାଇଛି।

