Categories: ବାଣିଜ୍ୟ

ଗୁଗଲ ପେ ପେମେଣ୍ଟ ସିଷ୍ଟମ ଅପରେଟର ନୁହେଁ

ନୂଆଦିଲ୍ଲୀ,୨୦।୬:ଗୁଗଲ ପେ ତୃତୀୟ ପକ୍ଷ ଆପ୍‌ ପ୍ରୋଭାଇଡର କିମ୍ବା କୌଣସି ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଉତ୍ତର ରଖାଯାଇଛି। ଏଣୁ ଏହାର ପରିଚାଳନା କୌଣସି ଆଇନ ଉଲ୍ଲଂଘନ କରୁନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚ ନ୍ୟାୟାଳୟଙ୍କୁ କହିଛି। ଏହି ମାମଲା ଉପରେ ଦିଲ୍ଲୀ ହାଇକୋର୍ଟ ଚିଫ୍‌ ଜଷ୍ଟିସ ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ ପ୍ରତୀକ ଜଲାଲଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ପକ୍ଷରୁ ପ୍ରକାଶ ପାଇଥିବା ଅଧିକୃତ ପେମେଣ୍ଟ ସିଷ୍ଟମ ଅପରେଟରଙ୍କ ତାଲିକାରେ ଗୁଗଲ ପେ ନାହିଁ କାରଣ ଏହା ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଆର୍‌ବିଆଇଠାରୁ ଆବଶ୍ୟକ ଅନୁମତି ନ ନେଇ ଗୁଗଲ ପେ ଆର୍ଥତ୍କ ଟ୍ରାଞ୍ଜାକଶନ ସୁବିଧା ପ୍ରଦାନ କରୁଛି ବୋଲି ଅଭିଜିତ ମିଶ୍ର ଏକ ଜନସ୍ବାର୍ଥ ମାମଲା କରିଥିଲେ। ଏହା ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରୀୟ ବ୍ୟାଙ୍କର ପକ୍ଷ ଲୋଡିଥିଲେ। ଗୁଗଲ ପେ ପେମେଣ୍ଟ ଏବଂ ସେଟେଲମେଣ୍ଟ ଆଇନ ଅବମାନନା କରିଥିବା ଅଭିଯୋଗ ଅଣାଯାଇଥିଲା। ଏନ୍‌ପିସିଆଇର ପେମେଣ୍ଟ ସିଷ୍ଟମ ଅପରେଟର ତାଲିକାରେ ଗୁଗଲ ପେ ନ ଥିବା କୁହାଯାଇଥିଲା। ମାମଲାର ଆଗାମୀ ଶୁଣାଣି ଜୁଲାଇ ୨୨ରେ ହେବ।

Share