ଗୀତ ଗାଇ ଆଦିବାସୀଙ୍କୁ ସଚେତନ କରୁଛନ୍ତି ଫରେଷ୍ଟର

ଜୟପୁର,୨୦ା୫(ଡି.ଏନ୍‌.ଏ.): କାରୋନା ଆଣିଛି ଦୁଃଖ । ସଚେତନତା ହେଉଛି ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ। କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳର ଆଦିବାସୀଙ୍କୁ ସଚେତନ କରୁଛନ୍ତି ଜୟପୁର ରେଞ୍ଜ୍‌ର ଫରେଷ୍ଟର ପ୍ରଶାନ୍ତ ସାମନ୍ତରାୟ। ଆଦିବାସୀ ଗୀତ ଗାଇ ସେ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲାର ସଙ୍ଗୀତଜ୍ଞ ଓ ଗୀତିକାର ହିରେନ୍ଦ୍ର ବେନିଆଙ୍କ ତତ୍ତ୍ୱାବଧାନରେ ଅଡିଓ ଏବଂ ଭିଡିଓ ରେକର୍ଡିଂ କରାଯାଇ ମାଇକ୍‌ ଜରିଆରେ ଏହାକୁ ପ୍ରଚାର କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତକୁ ଶେୟାର କରାଯାଇଛି। ଏହି ଗୀତ ଏବେ ଆଦିବାସୀଙ୍କ ମଧ୍ୟରେ ଆଦୃତ ହୋଇଛି। ଗୀତ ମାଧ୍ୟମରେ ସେ କରୋନା ଭୂତାଣୁ ସଂକ୍ରମଣର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ବିଷୟରେ ବୁଝାଇଛନ୍ତି। ଉଲ୍ଲେଖଯୋଗ୍ୟ, ଫରେଷ୍ଟର ସାମନ୍ତରାୟ ଜଣେ ଲୋକପ୍ରିୟ ଗାୟକ। ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାରଭାବେ ସେ ଅବିଭକ୍ତ କୋରାପୁଟ ଜିଲାରେ ବେଶ୍‌ ପରିଚିତ। କାର୍ଯ୍ୟବ୍ୟସ୍ତତା ଯୋଗୁ ସେ ଦୀର୍ଘ ଦିନ ଧରି ସଙ୍ଗୀତଠାରୁ ଦୂରେଇ ରହିଥିଲେ। ଏବେ କରୋନା ଭଳି ସଙ୍କଟଜନକ ପରିସ୍ଥିତିରେ ସେ ପୁଣି ସଙ୍ଗୀତ ଦୁନିଆକୁ ସଚେତନତାର ବାର୍ତ୍ତା ଧରି ଫେରିଛନ୍ତି।