ଗାଡି ଧକ୍କାରେ ଯୁବକ ଗୁରୁତର : ମେଡିକାଲରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୂଯୋରି ଗ୍ରାମ ପଞ୍ଚାୟତ ମଙ୍ଗଳପୁର ପାଞ୍ଚଗୋଛିଆ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜ ପଥରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଦାନଗଦୀ ବ୍ଲକ ଅନ୍ତର୍ଗତ ତେଲିବାହାଳି ଗ୍ରାମର ନରେନ୍ଦ୍ର ରାଉତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର ପାଇଁ କହିଥିଲେ। ହେଲେ ମେଡିକାଲରେ ୧୦୮ ଗାଡି ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। ଫଳରେ ନରେନ୍ଦ୍ର ୩ ଘଣ୍ଟା ଧରି ମେଡିକାଲରେ ପଡି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ ଏବଂ ଏସ୍‌ଆଇ ଅନ୍ତର୍ଯାମୀ ଶ୍ରୀଚନ୍ଦ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ୧୦୮ ଗାଡିର ବ୍ୟବସ୍ଥା କରି ନରେନ୍ଦ୍ରଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ପ୍ରକାଶ ଯେ, ସୁକିନ୍ଦା ଖଣି ଅଞ୍ଚଳରୁ କାର୍ଯ୍ୟ ସାରି ଘରକୁ ନରେନ୍ଦ୍ର ଏକ ବାଇକ୍‌ରେ ଆସୁଥିଲେ। ଭୁବନ ପଟୁ ସୁକିନ୍ଦା ଅଭିମୁଖେ ଯାଉଥିବା ଏକ କାର୍‌ ତାଙ୍କୁ ପଛପଟରୁ ଧକ୍କାଦେଇଥିଲା।