ଗାଡ଼ି ଧକ୍କାରେ ମେଡିକାଲ ଛାତ୍ର ଗୁରୁତର : ଚାଳକଙ୍କ ନାମରେ ମାମଲା ରୁଜୁ

ବନ୍ତ,୧୬।୬(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ କେନ୍ଦୁଆପଦା ଛକସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ବାଇକ୍‌ରେ ଆସୁଥିବା ଜଣେ ମେଡିକାଲ ଛାତ୍ରଙ୍କୁ ଏକ ଟାଟା ଏସି ଗାଡି ଧକ୍କା ଦେବା ଫଳରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷେ ସମ୍ପୃକ୍ତ ଛାତ୍ରଙ୍କ ଚିକିତ୍ସା ଖର୍ଚ୍ଚ ବହନ ପରିବର୍ତ୍ତେ ଗାଡି ମାଲିକ ଦୁର୍ବ୍ୟବହାର ସହ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ସୋମବାର ସିଲନ୍ଦି ଗ୍ରାମର ପିଣ୍ଟୁ କୁମାର ଜେନା ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ କେନ୍ଦୁଆପଦା ଛକସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ଏକ ଚାରିଚକିଆ ଟାଟା ଏସି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାପା ଗରିବ ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ସମ୍ପୃକ୍ତ ଗାଡି ମାଲିକଙ୍କ ଠାରୁ ଆର୍ଥିକ ସହାୟତା ମାଗି ଥିଲେ। ମାତ୍ର ସମ୍ପୃକ୍ତ ଗାଡି ମାଲିକ ତାଙ୍କୁ ସହାୟତା କରିବା ପରିବର୍ତ୍ତେ ଦୁର୍ବ୍ୟବହାର ଓ ଧମକ ଦେଇଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଗାଡ଼ି ଚାଳକଙ୍କ ନାମରେ ଏକ ମାମଲା (ନଂ.୭୦/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।