ଗାଡ଼ିରେ ଦିନିକିଆ ପାସ୍‌ ଲଗାଇଲା ପୋଲିସ

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୌଣସି ପାସ୍‌ ଆବଶ୍ୟକ ନାହିଁ। ସେମାନେ କେବଳ ଆଇକାର୍ଡ ଦେଖାଇ ଯାଇପାରିବେ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି। ହେଲେ ବ୍ୟାଙ୍କ୍‌ ଓ ଅନ୍ୟ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ପାଇଁ ପାସ୍‌ର ଆବଶ୍ୟକତା ରହିଥିବା ସୂଚନା ମିଳିବା ପରେ ଏଥିପାଇଁ ଏବେ ଡିସିପି ଅଫିସ ଆଗରେ ପୁଣି ଭିଡ଼ ଦେଖିବାକୁ ମିଳୁଛି। ସେଠାରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହେଉଛି। ଲୋକେ ପାଖାପାଖି ଛିଡାହୋଇ ଲାଇସେନ୍ସ ସେଲରୁ ପାସ୍‌ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗୁରୁବାର ପୋଲିସ ବିଭିନ୍ନ ଛକରେ ଚେକିଂ କରି ଜରୁରୀ ଆବଶ୍ୟକତା ଥିବା ଲୋକଙ୍କୁ ଦିନିକିଆ ପାସ୍‌ ଦେଇଛି। ଯେଉଁମାନେ ରୋଗୀ ନେଇ ଯାଉଛନ୍ତି କିମ୍ବା ଅନ୍ୟ ଜରୁରୀ ସେବାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ଏହି ପାସ୍‌ ଦିଆଯାଉଛି। ଏଜି ଛକରେ ଏକାଧିକ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବା ପରେ କେତେକ ଗାଡ଼ିରେ ପାସ୍‌ ଲଗାଯାଇଥିଲା। ଏଭଳି ବ୍ୟବସ୍ଥାକୁ ଜରୁରିସେବା ଯୋଗାଉଥିବା ବ୍ୟକ୍ତିମାନେ ସ୍ବାଗତ କରିଛନ୍ତି।