ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି : ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଆରଡି, ୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ମହାଳିକସାହି ଗାଁ ଦାଣ୍ଡରେ ଏବେ ଆଣ୍ଠୁଏ ପାଣି ଜମି ରହିଛି। ଦାଣ୍ଡ ଚାରିପଟେ ଥିବା ସ୍ଥାନକୁ ଲୋକେ ପୋତିଦେବାରୁ ଏପରି ଅବସ୍ଥା ଉପୁଜିଛି। ମାସମାସ ଧରି ପାଣି ଜମି ରହିବା ଗ୍ରାମବାସୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଏ ସଂକ୍ରାନ୍ତରେ ସେମାନେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅବଗତ କରିଥିଲେ ବି କୌଣସି ସୁଫଳ ମିଳିନି। ଫଳରେ ଗ୍ରାମବାସୀ ଏବେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ସୂଚନାନୁସାରେ ସୁନ୍ଦରପୁର ମହାଳିକସାହିରେ ପ୍ରାୟ ୬୦ ପରିବାର ବାସ କରନ୍ତି। ତନ୍ମଧ୍ୟରୁ ୪୦ ପରିବାର ଏହି ଗାଁ ଦାଣ୍ଡଦେଇ ଯିବା ଆସିବା କରିଥାନ୍ତି। ସେହି ଦାଣ୍ଡର ଦକ୍ଷିଣ ପାର୍ଶ୍ୱରେ ସରକାରୀ ଜାଗା ରହିଛି। ସେହି ଜାଗା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଚଳିତ ବର୍ଷ ସେଠାରେ କେତେଜଣ ବ୍ୟକ୍ତି ମାଟି ପକାଇ ଦେବାରୁ ପାଣି ଜମି ରହୁଛି। ଏହି ପାଣି ନିଷ୍କାସନ ନ ହେବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାଦିନେ ମଧ୍ୟ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି। ଆଗକୁ ବର୍ଷାଦିନ ଆସୁଛି। ଯଦି ଏଠାରୁ ଜଳ ନିଷ୍କାସନ ନ ହୁଏ ତେବେ ଗ୍ରାମବାସୀ ମ୍ୟାଲେରିଆ ଭଳି ସଂକ୍ରାମକ ରୋଗର ସମ୍ମୁଖୀନ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ଭଦ୍ରକ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହୁଏ ତେବେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚାନ୍ଦବାଲି ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ପଚାରିବାରୁ ଜଳ ନିଷ୍କାସନ ପାଇଁ ସରକାରୀ ଜମି ଥିଲେ ତାହାକୁ ବ୍ୟବହାର କରି ସମସ୍ୟାର ସମାଧାନ କରାଯିବ। ଏନେଇ ଆରଡି ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ସେ କହିଛନ୍ତି।