ଗାଁରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ: ତାଲା ପକାଇଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ହାଲୁଆ ପଞ୍ଚାୟତ ଅଧୀନ ପୋଡ଼ାପାଡ଼ି ଗ୍ରାମରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ବୁଝାଶୁଝା କରିଥିଲେ। ଉଲ୍ଲେଖଯୋଗ୍ୟ, ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ତେବେ ଗ୍ରାମବାସୀଙ୍କ କହିବା ହେଲା, ବାହାର ରାଜ୍ୟରୁ ଲୋକେ ଆସି ଏଠାରେ ରହିଲେ ଭୂତାଣୁ ଦ୍ୱାରା ଗ୍ରାମବାସୀ ସଂକ୍ରମିତ ହେବେ। ତେଣୁ ସେମାନେ ଗାଁ ସ୍କୁଲରେ ସଙ୍ଗରୋଧ କେନ୍ଦ୍ରକୁ ସେମାନେ ବିରୋଧ କରୁଥିବା କହିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ବିରୋଧ ବିଷୟରେ ଖବର ପାଇ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଗ୍ରାମକୁ ଯାଇ ବୁଝାଶୁଝା କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ତେବେ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶୁକ୍ରବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଥିଲେ। ଫଳରେ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ରାୟଗଡ଼ା ବିଡିିଓ ରାଜେନ୍ଦ୍ର ମାଝିଙ୍କ ସମେତ ଆଇଆଇସି ନୀହାର ରଞ୍ଜନ ପ୍ରଧାନ ଏବଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ ସେଠାରେ ଅଧିକ ପୋଲିସ ମୁତୟନ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।