ଗାଁରେ ପଶିଲା ବାର୍‌ହା,ଉଦ୍ଧାର ପାଇଁ ବନବିଭାଗ ଟିମର ଉଦ୍ୟମ ଜାରି

ଚନ୍ଦାହାଣ୍ଡି,୯ା୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ବେହେରାମୁଣ୍ଡା ଗ୍ରାମ ପାଣ୍ଡେ ସାହିରେ ସୋମବାର ଏକ ବାର୍‌ହା ପଶିଥିବା ଜଣାପଡ଼ିଛି। ହଠାତ୍‌ ଗାଁର ଭୁବନ ପାଣ୍ଡେଙ୍କ ଘରେ ବାର୍‌ହାଟି ପଶିଯାଇଥିବାବେଳେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବାର୍‌ହା ଆକ୍ରମଣ କରିବା ଆଶଙ୍କା ରହିଥିବାରୁ ଉଭୟ ଚନ୍ଦାହାଣ୍ଡି ବନବିଭାଗ ଏବଂ ଛତିଶଗଡ଼ ବନବିଭାଗ ଟିମ୍‌ ଯନ୍ତା ନେଇ ଗ୍ରାମରେ ପହଞ୍ଚିଛନ୍ତି। ତେବେ ଟିମ୍‌ ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିବାବେଳେ ବାର୍‌ହାଟି ଭୁବନଙ୍କ ଘରୁ ବାହାରି ରବି ନାମକ ଅନ୍ୟଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଜଣାପଡ଼ିଛି। ଟିମ୍‌ ଗ୍ରାମରେ ଉପସ୍ଥିତ ଥିବାବେଳେ ଏଯାବତ୍‌ ବାର୍‌ହାକୁ ଉଦ୍ଧାର କରାଯାଇପାରିନି। ବନ ବିଭାଗ ଟିମ୍‌ ପହଞ୍ଚିବା ପୂର୍ବରୁ ଗାଁ ଲୋକେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିବାବେଳେ ବାର୍‌ହାର ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ବନବିଭାଗ ଟିମ୍‌ରେ ଛତିଶଗଡ଼ ଦେଓଭୋଗ ରେଞ୍ଜର, ବନପାଳ କେଜୁଲାଲ୍‌ ଯାଦବ, ବିମ୍ବାଧର ୟଦୁ, କର୍ମଚାରୀ କେଶରୀଲାଲ୍‌ ନାୟକ, ଚନ୍ଦାହାଣ୍ଡି ବନପାଳ ଗୁପ୍ତେଶ୍ୱର ପଟ୍ଟନାୟକ, ଭୀଷ୍ମ ମାଝି, ବିନାୟକ ଶୋରୀ, କମଳାକାନ୍ତ ନାଗ ରହିଛନ୍ତି। ସେହିପରି ପୋଲିସ ଟିମ୍‌ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଉଦ୍ଧାର କରାଯିବା ପରେ ଆହତ ବାର୍‌ହାର ଚିକିତ୍ସା କରାଯିବା ପରେ ପାପଡ଼ାହାଣ୍ଡି ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ମିଳିଛି।