Categories: ବାଣିଜ୍ୟ

ଗାଁରେ ଉଦ୍ୟୋଗ ବସାଇବେ ବଡ଼ କମ୍ପାନୀ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସାଧାରଣରେ ବିଶ୍ୱାସ ରହିଛି ଯେ ବଡ଼ କମ୍ପାନୀରେ କାମ କରିବା ଲାଗି କେବଳ ବଡ଼ ବଡ଼ ସହରକୁ ଯିବାକୁ ପଡିବ। ଆଗକୁ ଗାଁରେ ମଧ୍ୟ ଲୋକଙ୍କୁ ଚାକିରି ମିଳିବ। ବଡ଼ ବଡ଼ କମ୍ପାନୀ ଗ୍ରାମାଞ୍ଚଳରେ ଉଦ୍ୟୋଗ ବସାଇବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ ଯୋଗୁ ସହରରେ ହଇରାଣ ହରକତ ହୋଇ ଲୋକମାନେ ଗାଁକୁ ଫେରିଛନ୍ତି। ଗାଁରେ ଉଦ୍ୟୋଗ ହେଲେ ପୁଣି ଥରେ ସହରକୁ ଯାଇ ଝୋପଡ ପଟିରେ ସଂଘର୍ଷ କରିବାକୁ ପଡ଼ିବ ନାହିଁ।
କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ)ର ନୂଆ ଅଧ୍ୟକ୍ଷ ଉଦୟ କୋଟାକ କହିଛନ୍ତି, ଶିଳ୍ପଗୁଡ଼ିକ ଗ୍ରାମାଞ୍ଚଳ ମୁହଁା ହେଲେ ଲୋକଙ୍କୁ କାମ ପାଇଁ ସହରକୁ ଆସିବାକୁ ପଡ଼ିବନି। ଲୋକମାନେ ଘର ପାଖରେ କାମ ପାଇବେ। ସହରର ବସ୍ତି ଅଞ୍ଚଳରେ ରହି ସଂଘର୍ଷ କରିବାକୁ ପଡ଼ିବ ନାହିଁ। କୋଟାକ କହିଛନ୍ତି ଯେ, ବଡ କମ୍ପାନୀଗୁଡିକ ଗ୍ରାମାଞ୍ଚଳରେ ଶିଳ୍ପ ଲଗାଇବା ଲାଗି ଗମ୍ଭୀର ଭାବେ ଚିନ୍ତା କରିବାକୁ ଲାଗିଛନ୍ତି। ଏକ ଉଦ୍ୟୋଗ ସଂଘ ଭାବେ ସିଆଇଆଇ ଏହାକୁ ଉତ୍ସାହିତ କରିବ। ସରକାର ବର୍ତ୍ତମାନ ସୁଧାର ଉପରେ କାମ କରୁଛନ୍ତି। ଗ୍ରାମାଞ୍ଚଳରେ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା ଲୋକଙ୍କୁ ଘର ପାଖରେ କାମ କରିବା ନେଇ କୌଣସି ଅସୁବିଧା ହେବ।
ସେ କହିଛନ୍ତି, ଅନେକ ଲୋକ ଗାଁରୁ ସହରକୁ ଯାଇଥିବାରୁ ଶିଳ୍ପଗୁଡ଼ିକୁ ଶ୍ରମିକଙ୍କ ଅଭାବ ରହିବ ନାହିଁ। କୁଶଳୀ କାରିଗର ମଧ୍ୟ ମିଳିଯିବେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ପୁଣି ଥରେ କୁଶଳୀ କରାଯାଇପାରିବ। ତାଲିମ ପ୍ରଦାନକରି ଲୋକଙ୍କୁ କାମ କରିବା ଯୋଗ୍ୟ କରାଯାଇପାରିବ। ଲକ୍‌ଡାଉନ ଅନେକ ନୂଆ କଥା ଶିଖାଇଛି। ନୂଆ କରି ଆସିଥିବା ଓ୍ବାର୍କଫ୍ରମ୍‌ ପଦକ୍ଷେପ ଆଗକୁ ବହୁତ କାମରେ ଆସିବ। ଗାଁରେ ଓ୍ବାର୍କ ଫ୍ରମ୍‌ ହୋମ୍‌ର କୌଣସି ଅସୁବିଧା ରହିବ ନାହିଁ। ଗାଁରେ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚିବା କାମ ହେଉଥିବାରୁ ଘରୁ କାମ କରିବା ସହଜ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Share