ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ନଙ୍ଗଳଗୁଡ଼ା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡିଙ୍କୁ ସୋମବାର ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ତେଣୁ ଗର୍ଭବତୀଙ୍କୁ ପରିବାର ଲୋକେ ପ୍ରଥମେ ମୋଟରସାଇକେଲରେ, ପୁଣି କିଛି ବାଟ ଚଲାଇ ନେବା ପରେ ଅଟୋ ସାହାଯ୍ୟରେ ଡାକ୍ତରଖାନା ନେଇଛନ୍ତି। ପ୍ରଶାସନ ଲୋକଙ୍କୁ ରାସ୍ତା ସୁରକ୍ଷା ନେଇ ସଚେତନ କରାଉଥିବାବେଳେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ ହେଉଥିବାବେଳେ ସଠିକ୍‌ ଭାବରେ କାର୍ଯ୍ୟ ନ ହୋଇ ରାସ୍ତାଟି ବର୍ଷାରେ ଧୋଇଯାଇଛି। ଫଳରେ କାହାର ସ୍ବାସ୍ଥ୍ୟ ଖରାପ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସଟିଏ ଯାଇପାରୁନାହିଁ। ଯାହାର ନିଚ୍ଛକ ଉଦାହରଣ ଉପରୋକ୍ତ ଗାଁରେ ଦେଖିବାକୁ ମିଳିଛି।