Categories: ବାଣିଜ୍ୟ

ଗରିବୀ ହ୍ରାସ ଲାଗି ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ,୧୭-୧୦: ୧୯୯୦ ପରେ ଗରିବୀସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏ କ୍ଷେତ୍ରରେ ଅନେକ ସୁଧାର ଆସିବା ସହ ଗରିବୀ ହାର ଅଧାକୁ ହ୍ରାସ ଘଟିଥିବା ବିଶ୍ୱବ୍ୟାଙ୍କ ବୁଧବାର ଭାରତକୁ ପ୍ରଶଂସା କରି ଏହା କହିଛି। ଭାରତ ଗତ ୧୫ ବର୍ଷରେ ୭%ରୁ ଅଧିକ ହାରରେ ଜିଡିପି ଅଭିବୃଦ୍ଧି ହାସଲ କରିଛି। ଗରିବି ଦୁରୀକରଣ କାର୍ଯ୍ୟକ୍ରମ ସହ ପରିବେଶର ସନ୍ତୁଳନ ଦିଗରେ ବିଶ୍ୱସ୍ତରକୁ ଏହା ଯୋଗଦାନ ରଖିଛି। ଏହି ସମୟ ମଧ୍ୟରେ ଭାରତ ଅଧିକାଂଶ ମାନବ ବିକାଶ ସୂଚକାଙ୍କରେ ପ୍ରଗତି ହାସଲ କରିଛି। ଆଗାମୀ ଦିନରେ ଭାରତ ଏହାର ଅଭିବୃଦ୍ଧି ଧାରାକୁ ବଜାୟ ରଖିବା ସହ ଏକ ଦଶନ୍ଧି ମଧ୍ୟରେ ଅତିଗରିବୀକୁ ହ୍ରାସ କରିବାକୁ ସକ୍ଷମ ହେବ ବୋଲି ବିଶ୍ୱବ୍ୟାଙ୍କ ଆଶାବାଦୀ ଥିବା କହିଛି।
ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତର ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି। ଭାରତ ଏହାର ପରଫରମାନ୍ସ ଉନ୍ନତ କରିବା ସହ ଦେଶ ମଧ୍ୟରେ ରହିଥିବା ସୁଯୋଗକୁ ଭରପୂର ଉପଯୋଗ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ସହରୀ କ୍ଷେତ୍ର ଅର୍ଥ ବ୍ୟବସ୍ଥାକୁ ବିଚାରକୁ ନେବା ସହ ଗ୍ରାମାଞ୍ଚଳରେ କୃଷି ଉତ୍ପାଦନ ବୃଦ୍ଧି କରି ଜମିର ଉନ୍ନତ ବ୍ୟବହାର କରିବା ଉପରେ ବିଶ୍ୱବ୍ୟାଙ୍କ ଗୁରୁତ୍ୱାରୋପ କରିଛି। ଏହାବାଦ ଜଳର ଉନ୍ନତ ବ୍ୟବହାରକୁ ଗୁରୁତ୍ୱ ଦେବା ସହ ଏ ଦିଗରେ ନୀତି ଆଣିବାକୁ ଏହା ପ୍ରକାଶ କରିଛି। ଏହାବାଦ ୨୩ କୋଟି ଲୋକ ବିଜୁଳି ଗ୍ରୀଡ ସହ ଏବେବି ଭଲ ଭାବେ ଯୋଡି ହୋଇ ନ ଥିବାରୁ ଏଦିଗରେ ଅଧିକ କାର୍ଯ୍ୟ କରିବା ସହ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମ୍‌ କରିବା ଉପରେ ପ୍ରାଥମିକତା ଦିଆଯାଇଛି।
୨୦୨୦ ସୁଦ୍ଧା ୮.୮% ଜିଡିପି ଅଭିବୃଦ୍ଧି ହାସଲ ଲାଗି ୩୪୩ ବିଲିୟନ ଡଲାର ନିବେଶର ଆବଶ୍ୟକତା ରହିଛି। ଘରୋଇ ବଜାରରେ ନିଯୁକ୍ତି ସୃଷ୍ଟି ଉପରେ ଏହା ପରାମର୍ଶ ଦେଇଛି। ଦେଶରେ ପ୍ରତିବର୍ଷ ୧.୦୩ କୋଟି ରୋଜଗାରକ୍ଷମ ବୟସର ହେଉଥିବା ବେଳେ ମାତ୍ର ୩୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ସୃଷ୍ଟି କରାଯାଇ ପାରୁଛି। ମହିଳା କର୍ମଚାରୀଙ୍କ ସଂଖ୍ୟା କମୁଥିବାରୁ ଏହା ଏକ ଚ୍ୟାଲେଞ୍ଜ ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି। ଭାରତର ମୋଟ ଶ୍ରମଶକ୍ତିକୁ ମହିଳାଙ୍କ ଯୋଗଦାନ ପ୍ରାୟ ୨୭% ରହିଛି ଯାହା ବିଶ୍ୱସ୍ତର ତୁଳନାରେ କମ୍‌।

Share