ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୯।୫: ଆସନ୍ତା ଜୁନ୍‌ ୫ ତାରିଖରେ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ଚଳିତ ଥର ମହାମାରୀ କରୋନାର ବିଭିଷିକା ମଧ୍ୟରେ କିଭଳି ଦାରୁବିଗ୍ରହଙ୍କ ନୀତିକାନ୍ତିଙ୍କୁ ଶୃଙ୍ଖଳିତ ଏବଂ ସୂଚାରୁରୂପେ ସମ୍ପନ୍ନ କରାଯିବ ସେ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ପ୍ରଶାସନ। ନୀତି ସମ୍ପୃକ୍ତ ସେବକମାନେ କ୍ୱାରାଣ୍ଟାଇନ୍‌ରେ ରହିବା ସହ ସେମାନଙ୍କର କରୋନା ଟେଷ୍ଟ ଲାଗି ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଶୁକ୍ରବାର ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ଲାଗି ସ୍ବାବ୍‌ ସଂଗ୍ରହ ଆରମ୍ଭ କରାଯାଇଛି। ମୋଟ ୧୭୨ ଗରାବଡ଼ୁ ସେବକଙ୍କ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦିନ ଧରି ସ୍ବାବ୍‌ ସଂଗ୍ରହ ହେବାକୁ ସ୍ଥିର ହୋଇଥିବା ବେଳେ ଶୁକ୍ରବାର ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଟେଷ୍ଟ କରାଉଛନ୍ତି। ଏହାପରେ ରିପୋର୍ଟ ଆସିବ। ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକ ଏବଂ ଦଇତାପତି ସେବକଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ବେଳେ ଏହା ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି।