ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଛାତ୍ରୀଙ୍କ ବାପା ଏନେଇ ପାଟପୁର ଥାନା ରେ ଏତଲା ଦେଇଥିଲେ। ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏତଲାକୁ ଭିତ୍ତିକରି ମାମଲା ନଂ.୯୦/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ଶ୍ରୀନିବାସ ଦାସଙ୍କ ନେତୃତ୍ୱରେ ସତନ୍ତ୍ର ଟାସ୍କ ଫୋର୍ସ ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରି ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ମୋଟର ଯାଞ୍ଚ କରିବା ସହ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀଙ୍କ ପତ୍ତା ମିଳିନଥିଲା। ପ୍ରାପ୍ତ ସୂଚନାକୁ ଭିତ୍ତିକରି ସୋମବାର ସକାଳ ପ୍ରାୟ ୯ଟାରେ ଛାତ୍ରୀଙ୍କ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଥାନାରେ ଜଣେ ମହିଳା ଅଧିକାରୀ ଛାତ୍ରୀଙ୍କ ବୟାନ ଲିପିବଦ୍ଧ କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପରେ ତାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯିବା ପରେ ମାତାପିତା ତାଙ୍କୁ ଘରକୁ ନେବାକୁ ମନାକରିବାରୁ ବ୍ରହ୍ମପୁରସ୍ଥିତ ମହିଳା ସର୍ଟଷ୍ଟେ ହୋମରେ ଛଡାଯାଇଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି।
Dharitri – Odisha’s No.1 Odia Daily

