ଗଞ୍ଜାମ ଜିଲାର ୨୬୮କ୍ୱାରାଣ୍ଟାଇନ ସେଣ୍ଟରରେ ଦୈନିକ ଚାଲିଛି ମନିଟରିଂ

ଛତ୍ରପୁର, ୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୨୬୮ଟି କ୍ୱାରାଣ୍ଟାଇନ ସେଣ୍ଟରରେ ୧୭ ହଜାର ୨୪୪ ଜଣ ରହିଛନ୍ତି। ଦୈନିକ ସ୍ଥାନୀୟ ଥାନା ପୋଲିସ କ୍ୱାରାଣ୍ଟାଇନ ସେଣ୍ଟରରର ମନିଟରିଂ କରୁଛନ୍ତି। ଏହାର ଦୈନିକ ରିପୋର୍ଟ ଥାନା ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ପଠାଯାଉଛି। ଏହାର ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଏସ୍‌ପି ବ୍ରିଜେଶ କୁମାର ରୟ କହିଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟର ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିଜେ ଏସ୍‌ପି ରୟ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ପ୍ରବାସୀଙ୍କ ସହ ଆଲୋଚନା କରି ଶୃଙ୍ଖଳା ରକ୍ଷା କରିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ଜଗନ୍ନାଥପୁର ଷ୍ଟେଶନକୁ ସୁରଟ ଓ କେରଳରୁ ପ୍ରବାସୀମାନେ ଟ୍ରେନରେ ଆସୁଛନ୍ତି। ସେଠାରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଉଛି।