ଗଞ୍ଜାମ ଏନ୍‌ଏସିରେ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଫର୍ମ: ଯୋଗାଇବାକୁ ଦାବି

ଗଞ୍ଜାମ,୧୩।୩(ଡି.ଏନ୍‌.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ଲାଗି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି। ଜନ୍ମ ହେଲେ ମମତା ଯୋଜନା ଓ ମୃତ୍ୟୁ ଘଟିଲେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛିି l ମାତ୍ର କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଘଟିଛି। ହରିଶ୍ଚନ୍ଦ୍ର ଯୋଜନା ଫର୍ମ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନ୍‌ଏସିରେ l ହରିଶ୍ଚନ୍ଦ୍ର ଯୋଜନା ଫର୍ମ ମାଗିଲେ ବଜ଼ାରରୁ କିଣିଆଣ ବୋଲି ଏନ୍‌ଏସି କର୍ମଚାରୀ କହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଫର୍ମ କିଣି ଆବେଦନ କଲେ ମଧ୍ୟ ବିଳମ୍ବରେ ସହାୟତା ମିଳୁଥିବା ସେ କହିଛନ୍ତି l ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ ପଚାରିବାରୁ ବର୍ତ୍ତମାନ କ’ଣ ହୋଇଛି ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି l ଫର୍ମ ମୂଲ୍ୟ ଅଧିକ ଟଙ୍କା ହୋଇ ନ ଥିଲେ ମଧ୍ୟ ଏ ନେଇ ବଜାର ସାରା ବୁଲିବାକୁ ପଡୁଛି l ଏଣୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଉକ୍ତ ଫର୍ମ ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି।