ଗଛ ପକାଇ ଲକ ଡାଉନ କଲେ ଗ୍ରାମବାସୀ

କୋକସରା, ୫।୪, (ଡି.ଏନ.ଏ.) ଉପକୂଳ ଓଡିଶା ପରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଜିଲାରେ କରୋନା ସଂକ୍ରମିତ ବାହାରିବା ପରେ ସର୍ତକ ହୋଇଛନ୍ତି ଗ୍ରାମବାସୀ । କୋକସରା ବ୍ଲକରେ ରବିବାର ବିଭିନ୍ନ ସ୍ଥାନରେ ଗ୍ରାମବାସୀ ଓ ଯୁବକ ମାନେ ଗ୍ରାମର ପ୍ରବେଶ ପଥ ଓ ପ୍ରସ୍ଥାନ ପଥକୁ ଅବରୋଧ କରିବା ସହିତ ଲକଡାଉନ ବୋର୍ଡ ମାରିଛନ୍ତି । କୋକସରା ବ୍ଲକ ର କୋକସରା, ସିଉନୀ,ତାଳାଗାଁ, ମୂଷାପାଲି, କୁମୁଡାମୁଣ୍ଡା, ଘଣ୍ଟିଗୁଡା, ଖଲିଗଡ, ପିପଲଝାପର ମାଝୀଗୁଡା ବଡରଣାପଡା ଭଲି ଅନେକ ଗାଁ ରେ ଗ୍ରାମବାସୀ ମାନେ ପ୍ରବେଶ ପଥକୁ ଚେକପୋଷ୍ଟ କରି ସିଲ କରିଛନ୍ତି ଓ ଅନ୍ୟ ଗ୍ରାମର ଲୋକଙ୍କୁ ନିଜ ନିଜ ଗାଁ କୁ ପୁରାଇ ଦେଉନାହାଁନ୍ତି । ଗ୍ରାମବାସୀଙ୍କ ମଧ୍ୟରେ କରୋନା କୁ ନେଇ ଅଜଣା ଭୟ ଦେଖାଦେଇଛି । ଗାଁ ର ପରିବେଶ ଓ ସ୍ୱଚ୍ଛତା ପ୍ରତି ଯତ୍ନଶୀଳ ହେଉଛନ୍ତି ଗ୍ରାମବାସୀ । ରବିବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବାର୍ତ୍ତା ରାତି ୯ଟାରେ ୯ ମିନିଟ୍ ପାଇଁ ଲାଇଟ ବନ୍ଦ କରି ଦୀପ ମହମବତୀ କିମ୍ବା ମୋବାଇଲ ଫ୍ଲାସ୍ ଜଳାଇ ପାଳନ କରିବାକୁ ମଧ୍ୟ ପସ୍ତୁତି ଦେଖିବାକୁ ମିଳୁଛି । ତେବେ କରୋନା ମୁକାବିଲା କରିବାକୁ ଓ ସାମାଜିକ ଦୂରତା ରଖିବାକୁ ଜିଲା ପ୍ରଶାସନ ର ସଚେତନତା କୁ ନେଇ ଗାଁ ଠୁ ସହର ଏକାକାର ହୋଇଛି ।